ପୁଣି ଗଞ୍ଜାମର ବିପର୍ଯ୍ୟୟ ମୁକାବିଲା ମଡେଲ୍ ପ୍ରଶଂସିତ

ଛତ୍ରପୁର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଗଞ୍ଜାମ ଜିଲ୍ଲା କେବଳ ଯେ ସଫଳ ହୋଇନି, ବରଂ ଠିକ୍ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରି ଧନଜୀବନ ହାନୀକୁ ରୋକିବାରେ ସର୍ବାଧିକ ସଫଳତା ହାସଲ କରିପାରିଛି। ଜିଲ୍ଲାରେ ସୃଷ୍ଟ ଯେକୌଣସି ପ୍ରାକୃତିକ ଆପତ୍ତି ବିପତ୍ତି ବେଳେ ଜିଲ୍ଲା ପ୍ରଶାସନ ଉପଯୁକ୍ତ ଉପାୟରେ ମୁକାବିଲା କରିଆସିଛି। ବିପର୍ଯ୍ୟୟ ମୁକାବିଲା ଦିଗରେ ଗଞ୍ଜାମ ଜିଲ୍ଲା ବହୁତ ସୁନ୍ଦର ଏବଂ ଗୁଣାତ୍ମକ ପଦକ୍ଷେପ ଗ୍ରହଣ କରୁଛି, ଏହାର ସଠିକ ପ୍ରଚାର ପ୍ରସାର ହେଲେ ନିଶ୍ଚିତ ଭାବେ ଜାତୀୟସ୍ତରରେ ଅଧିକ ସୁନାମ ତ ଅର୍ଜନ କରିବ, ଏଥିସହ ଅନ୍ୟ ରାଜ୍ୟମାନେ ମଧ୍ୟ ମୁକାବିଲାର ଏହି କୌଶଳକୁ ସହଜରେ ଗ୍ରହଣ କରିପାରିବେ। ଗଞ୍ଜାମ ଜିଲ୍ଲା ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ନଦିମ ଆର୍ଷଦ ଏବଂ ଡ. ସଞ୍ଜୟ କୌଶଲ ଏହି ମତବ୍ୟକ୍ତ କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ବେଶ୍ ପ୍ରଶଂସା କରିଛନ୍ତି।

ଅବସର ଥିଲା ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ଯାହା ଛତ୍ରପୁର ଠାରେ ଆୟୋଜିତ ହୋଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜିଲ୍ଲାରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି, କିଭଳି ଏଥିରେ ତୃଣମୂଳସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ସମ୍ପୃକ୍ତ ରହୁଛନ୍ତି, ସାମୂହିକ ବା ଗୋଷ୍ଠୀଗତ ସମ୍ପୃକ୍ତିକୁ କିଭଳି ମହତ୍ତ୍ବ ଦିଆଯାଉଛି ଆଦି ବାବଦରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦ୍ବୟଙ୍କୁ ଅବଗତ କରାଇଥିଲେ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ‘ଜିରୋ କାଜୁଆଲିଟୀ’କୁ କିଭଳି ଜିଲ୍ଲା ପ୍ରଶାସନ ଶତପ୍ରତିଶତ ପାଳନ କରୁଛି ତାହା ଉଲ୍ଲେଖ କରିଥିଲେ ଜିଲ୍ଲାପାଳ।

ବିପର୍ଯ୍ୟୟପ୍ରବଣ ଗଞ୍ଜାମ ଜିଲ୍ଲା ଗତ ଅଢେଇ ଦଶନ୍ଧି ମଧ୍ୟରେ ଅନେକ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେବେ ପ୍ରଶାସନର ଆଗୁଆ ପ୍ରସ୍ତୁତି, ତପ୍ତରତା ସହ ସାମୂହିକ ପଦକ୍ଷେପ ଗ୍ରହଣ ଫଳରେ ତାହାର ସଫଳ କାର୍ଯ୍ୟକାରିତା ସମ୍ଭବପର ହୋଇପାରିଛି। କର୍ମଶାଳାରେ ବିଭିନ୍ନ ବିଭାଗ ନିଜ ନିଜ ଦ୍ବାରା ଏଭଳି କଣ ପଦକ୍ଷେପ ଓ କିଭଳି ଗ୍ରହଣ କରାଯାଉଛି ତାହା ପ୍ରଦର୍ଶିତ କରାଇଥିଲେ। ଏଥିରେ ବିପର୍ଯ୍ୟୟର ଆଗୁଆ ସୂଚନା ପ୍ରଚାର ପ୍ରସାର, ପ୍ରାକ୍ ପ୍ରସ୍ତୁତି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଥଇଥାନ ଯୋଜନା ଆଦି ବାବଦରେ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇ ଥିଲା। ଓସ୍‌ଡମା, ଓଡ୍ରାଫ୍, ଅଗ୍ନିଶମ, ପୋଲିସ୍, ବିଦ୍ୟୁତ୍, ସ୍ବାସ୍ଥ୍ୟ, ପଶୁ ସମ୍ପଦ, କୋଠାବାଡି ଓ ଯୋଗାଣ ବିଭାଗ ସମେତ ଅନ୍ୟ ବିଭାଗ ନିଜ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ପ୍ରଶାସନ ଦ୍ବାରା ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡ଼ିକ ବହୁତ ସୁନ୍ଦର ଓ ଗୁଣାତ୍ମକ ବୋଲି ପ୍ରକାଶ କରିବା ସହ ଏଥିରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରି ଉଭୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜାତୀୟ ସ୍ତରରେ ଠିକ୍ ରୂପେ ଏହି ମଡେଲ୍ ଉପସ୍ଥାପନା କରିବାକୁ ମତ ଦେଇଥିଲେ।

Comments are closed.