ଗଞ୍ଜାମର କେତେକ ସ୍ଥାନରେ ନିଆରା ରଥଯାତ୍ରା

ବ୍ରହ୍ମପୁର: ତେଲୁଗୁ ଲୋକକଥା ‘ଜାରିଗତେ ଶ୍ରୀଜଗନ୍ନାଥ, ଜାରାଗାକା ପାତେ ଜରଡ଼ା’ ଅର୍ଥାତ୍ ଯଦି ପୁରୀକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନପାରିବ ତେବେ ଜରଡ଼ା ଆସି ପ୍ରଭୁ ପାର୍ଥସାରଥୀଙ୍କୁ ଦର୍ଶନ କଲେ ସମାନ ପୁଣ୍ୟ ମିଳିବ। ପୁରୀ ଘୋଷଯାତ୍ରା ସହ ଗଞ୍ଜାମ ଜିଲ୍ଲା ଜରଡ଼ା ପାର୍ଥସାରଥୀ ଠାକୁରଙ୍କ ରଥଯାତ୍ରାର ପ୍ରତ୍ୟକ୍ଷ ଓ ପ୍ରାଚୀନ ସମ୍ପର୍କ ରହିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାଞ୍ଚି ଅଭିଯାନ ସମୟରୁ ପୂଜିତ ହୋଇ ଆସୁଛନ୍ତି ପ୍ରଭୁ ପାର୍ଥସାରଥୀ। ପୂର୍ବରୁ ପାର୍ଥସାରଥୀଙ୍କ ଆଜ୍ଞାମାଳ ପହଞ୍ଚିଲା ପରେ ପୁରୀରେ ରଥ ଟଣା ଯାଉଥିଲା ବୋଲି ମଧ୍ୟ କହନ୍ତି ଏଠାକାର ବାସିନ୍ଦା। ଜରଡ଼ାରେ ପ୍ରଭୁ ପାର୍ଥସାରଥୀ ହିଁ ମୁଖ୍ୟ ଠାକୁର ଭାବେ ପୂଜିତ। ଏଠି ଗୋଟିଏ ମାତ୍ର ଶ୍ରୀଜଗନ୍ନାଥଙ୍କ ରଥରେ ସାରଥି ସାଜନ୍ତି ପ୍ରଭୁ ପାର୍ଥସାରଥୀ। ଏବେ ବି ଏଠି ଜରଡ଼ା ରାଜା ପରିବାରର ଦାୟାଦମାନେ ଠାକୁରଙ୍କ ସେବକ ରୂପେ ଛେରା ପହଁରା ରୀତି ସମ୍ପାଦନ କରିଥାନ୍ତି। ପ୍ରଥମେ ପାର୍ଥସାରଥୀ ଓ ପରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୁଏ। ୪୨ ଫୁଟ ୬ ଇଞ୍ଚ ରଥରେ ଲାଗିଥାଏ ୮ଟି ଚକ। ନିଃସନ୍ତାନ ଦମ୍ପତି ଆସି ମନ୍ଦିର ପାହାଚ ତଥା ରଥର ସିଡ଼ିରେ ଗଡ଼ିଗଲେ ଓ ଚଣା ଫୋପାଡିଲେ ସନ୍ତାନ ଜନ୍ମ ସହ ମୂକ କଥା କହିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ଵାସ ରହିଛି। ତେଣୁ ଯାତ୍ରା ବେଳେ ବହୁ ଭକ୍ତ ସାଙ୍ଗରେ ଦହି ଲିଆ ଭାର ଆଣି ପ୍ରଭୁଙ୍କ ପାଖରେ ସମର୍ପଣ କରିଥାନ୍ତି ତ ମାନସିକଧାରୀମାନେ ପିଲାଙ୍କ ମୁଣ୍ଡନ ମନ୍ଦିର ନିକଟରେ କରାଇଥାନ୍ତି।

ଧରାକୋଟର ରଥଯାତ୍ରା ଏଥିପାଇଁ ନିଆରା ଯେ ଏଠି ଦିନକ ପରେ ରଥଟଣା ହୁଏ। ଗୁଣ୍ଡିଚା ତିଥିରେ ପ୍ରଥମେ ରଥ ପ୍ରତିଷ୍ଠା, ମଙ୍ଗଳ ଆରତି, ବାଳଧୂପ, ତାହାପରେ ପହଣ୍ଡି ସମୟରେ ଅଧାରାସ୍ତାରେ ଠାକୁରଙ୍କୁ ଅଧର ପଣା ଦିଆଯାଇଥାଏ। ଦିନକ ପରେ ହୁଏ ରଥ ଟଣା। ଆଉ ବାହୁଡ଼ା ପରଦିନ ଏକାଦଶୀ ତିଥିରେ ରାଜାଙ୍କ ଉପସ୍ଥିତିରେ ବାହୁଡ଼ା ଯାତ୍ରା ପାଳିତ ହୁଏ। ଏଠିକାର ଘୋଷଯାତ୍ରାରେ ରାଜତନ୍ତ୍ରର ଝଲକ ସବୁଠାରୁ ନିଆରା। ବର୍ତ୍ତମାନ ମହିଳା ରାଜା (କୁମାରୀ) ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଠାକୁରଙ୍କ ଆଦ୍ୟ ସେବକ ଭାବରେ ରାଜକୀୟ ପରମ୍ପରା ସହ ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି। ଏଠିକାର ମନ୍ଦିର ମଧ୍ୟ ଅନନ୍ୟ। ଆମ ଦେଶରେ ଥିବା ବିମାନ ଶୈଳୀର ମାତ୍ର ୯ ଗୋଟି ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରୁ ଗୋଟିଏ ହେଉଛି ଧରାକୋଟର ଧାମ ଯାହାକୁ ଷୋଡ଼ଶ ଶତାବ୍ଦୀରେ ରାଜା ରାଜେନ୍ଦ୍ର ସିଂହ ନିର୍ମାଣ ଆରମ୍ଭ କରିଥିଲେ ଓ ରାଜା ମଦନ ମୋହନ ସିଂହଦେଓ ସମ୍ପୂର୍ଣ୍ଣ କରିଥିଲେ। ଲାଲ୍ ମୁଗୁନି ପଥରରେ ନିର୍ମିତ ମନ୍ଦିରର ଉଚ୍ଚତା ୭୫ ଫୁଟ। ମନ୍ଦିର ସମ୍ମୁଖ ଭାଗରେ ଦୃଶ୍ୟମାନ ହୁଏ ସୁଦୀର୍ଘ ବଡ଼ଦାଣ୍ଡ, ମାଉସୀ ମାଆ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଦୋଳ ମଣ୍ଡପ ଓ ଚନ୍ଦନ ପୋଖରୀ। ତିନି ଠାକୁରଙ୍କ ବିଗ୍ରହ ଚନ୍ଦନ କାଠରେ ନିର୍ମିତ। ମନ୍ଦିର ଚତୁଃପାର୍ଶ୍ବରେ କଳା ମୁଗୁନି ପଥରରେ ନିର୍ମିତ ମେଘନାଦ ପାଚେରୀ ସହ ୪ଟି ଦ୍ଵାର ରହିଛି। ଏଠିକାର ରଥ ପୁରୀର ଦେବୀ ସୁଭଦ୍ରାଙ୍କ ଦେବୀଦଳନ ରଥ ସମାନ ଯେଉଁଥିରେ ୧୨ଟି ଚକ ଥିବା ବେଳେ ଏହାର ଉଚ୍ଚତା ଏବଂ ଓସାର ୩୩ ଫୁଟ। ଏଠିକାର ଗୁଣ୍ଡିଚା ଯାତ୍ରା ମଧ୍ୟ ବେଶ୍ ପ୍ରାଚୀନ।

ଉଲ୍ଲେଖଯୋଗ୍ୟ ଯେ- ଏବେ ବି ଗଞ୍ଜାମ ଜିଲ୍ଲାର ଜରଡ଼ା, ଦିଗପହଣ୍ଡି , ଧରାକୋଟ ଓ ବ୍ରହ୍ମପୁର ବଡ଼ବଜାର ରଥଯାତ୍ରା ଆଦି ସ୍ଥାନରେ ରାଜପରିବାରର ଦାୟାଦ ମାନେ ଘୋଷଯାତ୍ରାର ଅନେକ ରୀତିନୀତି ସମ୍ପାଦନ କରି ଆସୁଛନ୍ତି। ବ୍ରହ୍ମପୁରରେ ମହୁରୀ ରାଜା ଏହି ନୀତି ସମ୍ପାଦନ କରିଥାନ୍ତି।

Comments are closed.