ଶ୍ରାବଣ ମାସ ପ୍ରଥମ ସୋମବାର: ଭକ୍ତ ଓ କାଉଡ଼ିଆଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର – ଆସନ୍ତାକାଲି ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍‍ବମ୍‍ ହର୍‍ହର୍‍ ବମ୍‍ …..ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେବ ଏକାମ୍ର କ୍ଷେତ୍ର। ଦୁଇବର୍ଷ ପରେ କରୋନା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ। ଏଥିପାଇଁ ବିଏମ୍‍ସି, ମନ୍ଦିର ପ୍ରଶାସନ ଓ ଏଏସ୍‍ଆଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ସମ୍ଭାବନାକୁ ଦୃଷ୍ଟିରେ ରଖି ରବିବାର ରାତି ୩ଟାରେ ମନ୍ଦିର ପହଡ଼ ଖୋଲିବାପରେ ସାଢ଼େ ୩ଟାରେ ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପାଦନ କରାଯିବ । ଭୋର ୪ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ ହେବ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‍ର ବ୍ୟବସ୍ଥା କରାଯାଇଛି । ଧାଡ଼ିରେ ଭକ୍ତମାନେ ଆସି ଜଳଲାଗି କରିବେ। ଆଡ଼କାଠ ନିକଟରେ କାଉଡ଼ିଆମାନେ ଜଳ ଢାଳିପାରିବେ। ଚଳିତବର୍ଷ ମନ୍ଦିର ପରିସରରେ ଉଭୟ କାଉଡ଼ିଆ ଓ ଭକ୍ତମାନଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳ କରାଯିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ ଲାଗୁ ହୋଇଛି। ମନ୍ଦିର ବାହାରେ ୧୫ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ ହେବେ।

Comments are closed.