ଲାଞ୍ଚ ନେବାବେଳେ ଧରାପଡିଲେ ଆୟୁଷ ଡାକ୍ତର

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଗୋଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ଅଟୋ ଦୁର୍ଘଟଣା ଲୁଚାଇବାକୁ ସୁଲେମାନ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସାରଳାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଗତ ୧୭ ତାରିଖରେ କୁତ୍ରା- ଝାଡଖଣ୍ଡ ସୀମାନ୍ତ ଛୁରିଚଖା ଛକରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଅଟୋ ଚାଳକ ସୁଲେମାନ ମହିଳାଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ। ଡାକ୍ତର ସାରଦା ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ନ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କଥା ୧୨ ହଜାରରେ ଛିଡିଥିଲା। ଚାଳକ ସେଦିନ ୮ ହଜାର ଦେଇଥିବା ବେଳେ ବାକି ୪ ହଜାର ଟଙ୍କା ତୁରନ୍ତ ନ ଦେଲେ ପୋଲିସକୁ କହିଦେବେ ବୋଲି ଧମକ ଦେଇଥିଲେ।ଅଟୋ ଚାଳକ ଏନେଇ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ସକାଳ ସାଢେ ୭ଟାରେ ଅଟୋ ଚାଳକ, ଡାକ୍ତରଙ୍କୁ ଗୋଏରବାହାଲ ଡାକ୍ତରଖାନା ପରିସରସ୍ଥିତ ସରକାରୀ ନିବାସରେ ବାକି ୪ ହଜାର ଟଙ୍କା ଦେଉଥିବାବେଳେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା।

Comments are closed.