ଆଇଟିଆଇ ଆଡ୍‌ମିଶନ୍ ଚାହିଦା ବୃଦ୍ଧି: ୨୫୯୬୨ ଆବେଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ସ୍କିଲ୍ ଓଡ଼ିଶା ଧିରେ ଧିରେ ରାଜ୍ୟର ଯୁବଗୋଷ୍ଠୀ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ସେହି ଅନୁସାରେ ଯୁବକ ଯୁବତୀଙ୍କ କୌଶଳ ଦକ୍ଷତା ବୃଦ୍ଧି ପାଇଁ ଭିତ୍ତିଭୂମିକୁ ବ୍ୟାପକ କରିବାରେ ଲାଗିଛନ୍ତି ରାଜ୍ୟ ସରକାର। ଫଳସ୍ୱରୂପ ରାଜ୍ୟତମାମ ସରକାରୀ ଓ ବେସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ର ଭିତ୍ତିଭୂମି ମଜବୁତ ହେବାରେ ଲାଗିଛି। ଫଳସ୍ଵରୂପ ବୈଷୟିକ ଶିକ୍ଷାର ଚାହିଦା ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇ ଚାଲିଛି। ଲଗାତାର ମାଟ୍ରିକ ରେଜଲ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ସାଙ୍ଗକୁ ବୈଷୟିକ ଶିକ୍ଷାଗତ ଅଭିଜ୍ଞତା ସହ ଆତ୍ମନିଯୁକ୍ତି ଓ ଶିଳ୍ପାନୁଷ୍ଠାନରେ ନିୟୋଜନରେ ଯୁବଗୋଷ୍ଠୀର ଉପରମୁହାଁ ରେକର୍ଡ ଫଳରେ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରତି ଆଦର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଆଇଟିଆଇ ଆଡ୍‌ମିଶନ୍ ପାଇଁ ହୋଇଥିବା ଆବେଦନରୁ ମିଳିଛି ତାହାର ପ୍ରମାଣ। ନିକଟରେ ଆଇଟିଆଇ ଆଡ୍‌ମିଶନ୍ ପାଇଁ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍ ଆବେଦନ ସମାପ୍ତ ହୋଇଛି। ରାଜ୍ୟରେ ଥିବା ୬୦ଟି ସରକାରୀ ଓ ୪୫୬ ବେସରକାରୀ ଆଇଟିଆଇରେ ରହିଛି ମୋଟ ୭୬ ହଜାର ୮୮୬ ସିଟ୍। ଏ ସମସ୍ତ ଆଇଟିଆଇରେ ନାମଲେଖା ପାଇଁ ସାମ୍ସ ଜରିଆରେ ୨୫ ହଜାର ୯୬୨ ଆବେଦନ ପହଞ୍ଚିଛି ଯାହା ପୂର୍ବ ବର୍ଷମାନଙ୍କ ତୁଳନାରେ ବେଶ୍ ଉଲ୍ଲେଖଯୋଗ୍ୟ।

ଉଲ୍ଲେଖନୀୟ ରୂପେ ବ୍ରହ୍ମପୁର ସରକାରୀ ଆଇଟିଆଇ ଆବେଦନକାରୀଙ୍କ ପ୍ରଥମ ପସନ୍ଦ ରହିଛି। ଏଠି ୧୯୭୮ ସିଟ୍ ଥିବା ବେଳେ ରାଜ୍ୟର ମୋଟ ଆବେଦନର ପ୍ରାୟ ଏକ ଦଶମାଂଶ ଅର୍ଥାତ୍ ୨୫୭୪ଟି ଆବେଦନ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ନାମଲେଖା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍ ସିଟ୍ ତୁଳନାରେ ଅଧିକ ଆବେଦନକାରୀ ରହିଛନ୍ତି। ଉଲ୍ଲେଖନୀୟ ଭାବେ ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୩୩। ବ୍ରହ୍ମପୁର ଆଇଟିଆଇରେ ଏକ ତୃତୀୟାଂଶ ସ୍ଥାନରେ ଛାତ୍ରୀଙ୍କୁ ଆଡ୍‌ମିଶନ୍ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି l କୌଶଳ ବିକାଶ କ୍ଷେତ୍ରରେ ଉନ୍ନତ ତାଲିମ, ପ୍ରଶିକ୍ଷଣ ଗ୍ରହଣ ଅବଧି ସରିବା ପୂର୍ବରୁ କ୍ୟାମ୍ପସ୍‌ ନିଯୁକ୍ତି, ନିଆରା ଓ ଅଭିନବ କୌଶଳ ଜରିଆରେ ପ୍ରଶିକ୍ଷଣ ସକାଶେ ଲୋକପ୍ରିୟତା ହାସଲ କରିଛି ବ୍ରହ୍ମପୁର ଆଇଟିଆଇ। କରୋନା କାଳ ହେଉ ବା ପରବର୍ତ୍ତୀ ସମୟରେ ଶିଳ୍ପ ତଥା ବୈଷୟିକ ତାଲିମ ଆଧାରିତ ନିଆରା ପଦକ୍ଷେପ ଗ୍ରହଣ, ଛାତ୍ରୀମାନଙ୍କ ଆଇଟିଆଇରେ ଶିକ୍ଷା କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି, କ୍ୟାମ୍ପସ୍‌ ନିଯୁକ୍ତି ପାଇଁ ସର୍ବାଧିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଦୃଷ୍ଟିରୁ ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଅଧିକ ଆଗ୍ରହ ପ୍ରକାଶ କରିଥିବା ସ୍ପଷ୍ଟ। ପ୍ରକାଶଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର, ଛତ୍ରପୁର, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର ଓ ଶେରଗଡ଼ ସରକାରୀ ଆଇଟିଆଇ ସମେତ ବିଭିନ୍ନ ସହର ଓ ବ୍ଲକ୍‌ରେ ରହିଛି ୨୦ଟି ବେସରକାରୀ ଆଇଟିଆଇ। ଏ ସମସ୍ତ ଶିଳ୍ପ ତାଲିମ ଅନୁଷ୍ଠାନରେ ମୋଟ ୬୧୪୨ ସ୍ଥାନ ରହିଛି। ଏସବୁ ସ୍ଥାନରେ ଅଧିକ ସଂଖ୍ୟକ ଆବେଦନ ହିଁ ଆଇଟିଆଇ ପାଠ୍ୟକ୍ରମ ପ୍ରତି କ୍ରମେ ବୃଦ୍ଧି ପାଉଥିବା ଆଗ୍ରହକୁ ପ୍ରକାଶ କରୁଛି। ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବା ସହ ଆଡ୍‌ମିଶନ୍ ପରେ ଅଗଷ୍ଟ ୨ରୁ ଦ୍ବିତୀୟ ପର୍ଯ୍ୟାୟ ଆବେଦନ ହେବ।

Comments are closed.