ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ଓଡ଼ିଶା ବିଧାନସଭାର ବାଚସ୍ପତି ଆରୁଖ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଲୋକସଭା ସଚିବାଳୟ ଠାରେ ଆଜି ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମାନ୍ୟବର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡ଼ିଶା ବିଧାନସଭାର ଅଧିକାରୀ ଓ କର୍ମଚାରୀମାନଙ୍କୁ ବୈଷୟିକ ଜ୍ଞାନକୌଶଳରେ ଅଧିକ ପ୍ରଶିକ୍ଷିତ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାକୁ ଦେଶର ଏକ ଆଦର୍ଶ ବିଧାନସଭାରେ ପରିଣତ କରିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ବାଚସ୍ପତି ଶ୍ରୀ ଆରୁଖ ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଇଥିଲେ ।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ବାବଦରେ ଶ୍ରୀ ଆରୁଖଙ୍କୁ ପଚାରି ବୁଝିଥିଲେ । ନିକଟରେ ଶେଷ ହୋଇଥିବା ବଜେଟ ଅଧିବେଶନର ଶାନ୍ତିପୂର୍ଣ୍ଣ ଓ ସୂଚାରୁ ଭାବେ ପରିଚାଳନା ନେଇ ଶ୍ରୀ ବିର୍ଲା ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟଧାରା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ବିକାଶଧାରା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ବାଚସ୍ପତି ଶ୍ରୀ ଆରୁଖ ଉପଢୌକନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ପ୍ରଦାନପୂର୍ବକ ଶ୍ରୀ ବିର୍ଲାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଆଲୋଚନା ବେଶ୍ ସୌହାର୍ଘ୍ୟପୂର୍ଣ୍ଣ ଥିଲା ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Comments are closed.