ଗଞ୍ଜାମ ଜିଲ୍ଲାରେ ପ୍ରଥମ… ୧୨ କିନ୍ନର ପାଇଲେ ଭତ୍ତା

ବ୍ରହ୍ମପୁର: ତୃତୀୟ ଲିଙ୍ଗୀ ବା କିନ୍ନର ମଧ୍ୟ ଏ ସମାଜରେ ସମାନ ଅଧିକାର ସହ ବଞ୍ଚିବାର ହକ୍ ରଖନ୍ତି। ପରିସ୍ଥିତିର ବାଧ୍ୟବାଧକତାରେ ତଥା ଏଯାବତ୍ ଉପଯୁକ୍ତ ସୁଯୋଗ ସୁବିଧା ନଥିବାରୁ ସେମାନେ କୋଣଠେସା ହୋଇ ରହି ଆସୁଥିଲେ। ତେବେ ଗତ କିଛି ବର୍ଷ ମଧ୍ୟରେ, ବିଶେଷ କରି ସୁପ୍ରିମକୋର୍ଟଙ୍କ କିନ୍ନରଙ୍କ ସମର୍ଥନରେ ରାୟ ପରେ ସ୍ଥିତି ବେଶ୍ ବଦଳିବାରେ ଲାଗିଛି। ସୋମବାର ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି କିନ୍ନରଙ୍କୁ ଭତ୍ତା ବଣ୍ଟନ ସହ ଜିଲ୍ଲା ଓ ବିଏମସି ପ୍ରଶାସନ ଏ ଦିଗରେ ଆଉ ପାଦେ ଆଗକୁ ବଢ଼ାଇଛନ୍ତି।

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧୁବାବୁ ପେନ୍‌ସନ୍ ଯୋଜନାର ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଖାତା ବଣ୍ଟନ କରାଯାଇଛି। ବିଏମ୍‌ସି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡି, ବିଏମ୍‌ସି କମିଶନର ଜେ. ସୋନାଲ ପ୍ରମୁଖ ଭତ୍ତା ବାଣ୍ଟିଥିଲେ। ମୋଟ ୧୧୧୯ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବିତରଣ କରାଯାଇଥିଲା। ତେବେ ସବୁଠୁ ଉଲ୍ଲେଖନୀୟ ଥିଲା ଜିଲ୍ଲାରେ ପ୍ରଥମ କରି ୧୨ ଜଣ କିନ୍ନରଙ୍କୁ ଭତ୍ତା ଦିଆଯାଇଥିଲା। ୧୨ ଜଣ କିନ୍ନରଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯାଇଥିଲା। କିନ୍ନରମାନଙ୍କୁ ଏହି ଆର୍ଥିକ ସହାୟତା ସେମାନଙ୍କ ଜୀବନ ଶୈଳୀରେ ସ୍ବାବଲମ୍ବନଶୀଳତା ଆଣିବାରେ କିଛିଟା ସହାୟକ ହେବାର ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଏମସି ପ୍ରଶାସନ ଦ୍ବାରା କିନ୍ନରଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବା ପାଇଁ ପାର୍କିଂ ଫି ଆଦାୟ ଭଳି କାର୍ଯ୍ୟଭାର ଦିଆଯାଇଥିଲା। ଏଥିସହ ଆଉ କିଛି ସ୍ବୟଂ ସହାୟକ ଗୋଷ୍ଠୀ କାମ ମଧ୍ୟ କିନ୍ନରଙ୍କୁ ନ୍ୟସ୍ତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବାର୍ଦ୍ଧକ୍ୟ ଭତ୍ତା ୫୧୮ ଜଣଙ୍କୁ, ବିଧବା ଭତ୍ତା ୩୩୨ ହିତାଧକାରୀଙ୍କୁ, ୧୩୭ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ଅବିବାହିତ ଭତ୍ତା ୩୭ ଜଣଙ୍କୁ, ସ୍ଵାମୀ ପରିତ୍ୟକ୍ତା ଭତ୍ତା ୮୩ ମହିଳାଙ୍କୁ ପ୍ରଦାନ କରାଯାଇ ଥିଲା। ପ୍ରତି ୱାର୍ଡରୁ ୨ ଜଣ ଲେଖାଏଁ ମୋଟ ୯୬ ଜଣ ହିତାଧିକାରୀ ଭତ୍ତା ଗ୍ରହଣ କରିଥିବା ବେଳେ ଅନ୍ୟ ହିତାଧକାରୀଙ୍କ ଘରକୁ ଭତ୍ତା ପଠାଇ ଦିଆଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ସମସ୍ତ ହିତାଧିକାରୀଙ୍କ ଭତ୍ତା ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି। ମହାନଗରର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ମଧ୍ୟ ବିଏମ୍‌ସି କମିଶନର୍ ଆଶ୍ଵାସନା ଦେଇଛନ୍ତି। ଏହା ଦ୍ବାରା ବହୁ ନୂତନ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ମେୟର ଦଳେଇ ଓ ଡେପୁଟି ମେୟର ରେଡ୍ଡୀ କହିଛନ୍ତି।

Comments are closed.