ଟ୍ରକ୍ ଧକ୍କାରେ ସ୍ବାମୀଙ୍କର ମୃତ୍ୟୁ, ସ୍ତ୍ରୀ ଗୁରୁତର, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୌଦ୍ଧ: ହରଭଙ୍ଗା ବ୍ଲକ୍ ନୂଆପଡ଼ା ଛକର ରାସ୍ତା କଡ଼ ହୋଟେଲ ସମ୍ମୁଖରେ ସ୍ବାମୀ ଓ ସ୍ତ୍ରୀ ଛିଡ଼ା ହୋଇଥିବା ସମୟରେ ହଠାତ ଟ୍ରକ୍ ଟି ମାଡିଯାଇଥିଲା । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ମୃତକ ଜଣଙ୍କ ହାଟ ଗାଁର ଶାନ୍ତନୁ ଉରମା । ଉତ୍ତ୍ୟକ୍ତ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୃତକଙ୍କ ଶବ ରଖି ୫୭ ନଂ ରାଜପଥ ଅବରୋଧ କରିଛନ୍ତି । ଯେପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ନ ମିଳିଛି ସେ ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡିମଟର ଅଟକି ରହିଥିବା ବେଳେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସଝା କରୁଥିବା ବେଳେ ରାସ୍ତାରୋକ ଜାରି ରହିଛି ।

Comments are closed.