ଗାଈ ମଇଁଷିଙ୍କଠାରେ ଲମ୍ପି ସ୍କିନ ରୋଗ : ରାଜ୍ୟର ୧୪ଟି ଜିଲ୍ଲାକୁ ସତର୍କ କଲା ପ୍ରାଣୀ ସଂପଦ ବିଭାଗ

ଭୁବନେଶ୍ୱର – ଗାଈଗୋରୁ ମଇଁଷିମାନଙ୍କଠାରେ ଦେଖା ଦେଉଥିବା ଲମ୍ପି ସ୍କିନ୍ ରୋଗ ବିଭିନ୍ନ ରାଜ୍ୟରେ ବ୍ୟାପିଛି । ଏ ନେଇ ଓଡ଼ିଶା ସରକାର ମଧ୍ୟ ସତର୍କ ହୋଇଛନ୍ତି । ୧୪ଟି ଜିଲ୍ଲାକୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବାଲେଶ୍ଵର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏ ନେଇ ଚିଠି ଲେଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ସଚିବ ଅରବିନ୍ଦ ପାଢ଼ୀ।

ଏଥିସହ ରୋଗକୁ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସୀମାନ୍ତ ଜିଲ୍ଲାଗୁଡିକରେ ବ୍ଲକ ଓ ଗ୍ରାମଗୁଡିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ୫ କିମି ପରିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡ଼ା ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦେଶ ରହିଛି। ଆନ୍ତଃରାଜ୍ୟ ଗୋରୁ ମଇଁଷି ପରିବହନ ଉପରେ କଟକଣା ଲଗାଯିବା ସହ ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ ଲଗାଯାଇଛି। ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ପରାମର୍ଶ ଦିଆଯାଇଛି। ଯାହାଙ୍କ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ବାସରେ ରଖିବାକୁ ନିର୍ଦେଶ ଥିବା ବେଳେ ନମୂନା ସଂଗ୍ରହ କରି ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି।

Comments are closed.