ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ, ବିଧାନସଭାରେ ଗାର୍ଡ ଅଫ୍ ଅନର୍

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ତଥା ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ସ୍ଵର୍ଗତ ସେଠୀଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା । ବାଚସ୍ପତି , ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ଏବଂ ଦଳମତ ନିର୍ବିଶେଷରେ ବିଧାୟକବୃନ୍ଦ , ବିଧାନସଭା ସଚିବ ପ୍ରମୁଖ ସ୍ଵର୍ଗତ ସେଠୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବାଚସ୍ପତି ଶ୍ରୀ ଆରୁଖ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ କହିଛନ୍ତି ଯେ ବିରୋଧୀ ଦଳ ଉପନେତା ବିଷ୍ଣୁବାବୁ କେବଳ ଜଣେ ଲୋକପ୍ରିୟ ବିଧାୟକ ନଥିଲେ , ସେ ଥିଲେ ଅମାୟିକ ଓ ବନ୍ଧୁବତ୍ସଳ । ଜନସାଧାରଣଙ୍କ ସମସ୍ୟା ଓ ଅସୁବିଧାକୁ ବିଧାନସଭାରେ ଉପସ୍ଥାପିତ କରିବାରେ ତାଙ୍କର ସ୍ୱତନ୍ତ୍ର ଶୈଳୀ ରହିଥିଲା । ସମସ୍ତ ରାଜନୈତିକ ଦଳର ବ୍ୟକ୍ତବିଶେଷଙ୍କ ସହିତ ତାଙ୍କର ଅତି ସୌହାର୍ଘ୍ୟପୂର୍ଣ୍ଣ ସଂପର୍କ ଥିଲା । ତାଙ୍କ ବିୟୋଗ ଓଡ଼ିଶା ରାଜନୀତି ଜଗତରେ ଏକ ଅପୂରଣୀୟ କ୍ଷତି । ବ୍ୟକ୍ତିଗତ ଭାବେ ଜଣେ ବନ୍ଧୁଙ୍କୁ ହରାଇ ସେ ଅତ୍ୟନ୍ତ ମର୍ମାହତ ବୋଲି ବାଚସ୍ପତି ଶ୍ରୀ ଆରୁଖ ଉଲ୍ଲେଖ କରିଥିଲେ । ବାଚସ୍ପତି ଶ୍ରୀ ଆରୁଖ ଅମର ଆତ୍ମାର ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Comments are closed.