ସ୍ବଚ୍ଛ ସର୍ବେକ୍ଷଣ: ବେଲଗୁଣ୍ଠା, ଚିକିଟି ଏନ୍‌ଏସି ପାଇବ ରାଷ୍ଟ୍ରପତି ପୁରସ୍କାର

ଛତ୍ରପୁର: ସ୍ବଚ୍ଛ ସର୍ବେକ୍ଷଣରେ ଓଡ଼ିଶାର ୧୧ଟି ସହର ସ୍ଵଚ୍ଛ ଅମୃତ ମହୋତ୍ସବରେ ପୁରସ୍କୃତ ହେବେ। ଏ ଦିଗରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ଉଲ୍ଲେଖନୀୟ ସଫଳତା। ଜିଲ୍ଲାର ଦୁଇଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଭଞ୍ଜନଗର ଉପଖଣ୍ଡର ବେଲଗୁଣ୍ଠା ଏନ୍ଏସି ଏବଂ ବ୍ରହ୍ମପୁର ଉପଖଣ୍ଡର ଚିକିଟି ଏନ୍ଏସି ଚଳିତ ବର୍ଷ ପାଇଁ ସ୍ବଚ୍ଛତା ଦୃଷ୍ଟିରୁ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ଉନ୍ନୟନ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ତାଲିକାରେ ଗଞ୍ଜାମ ଜିଲ୍ଲାର ଏହି ଦୁଇଟି ସହର ସ୍ଥାନ ପାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଉଭୟ ଏନ୍ଏସିର ଶୀର୍ଷ ନିର୍ବାଚିତ ପୈାର ପ୍ରତିନିଧି (ଅଧ୍ୟକ୍ଷ ବା ଅଧ୍ୟକ୍ଷା) ଏବଂ ପ୍ରଶାସନିକ (ନିର୍ବାହୀ) ଅଧିକାରୀ ଦିଲ୍ଲୀ ଯାଇ ସେଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ।

ଛୋଟ ସହର ହେଲେ ମଧ୍ୟ ସଫେଇ ଦୃଷ୍ଟିରୁ ଉଭୟ ଏନ୍ଏସିରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି। ସ୍ଵଚ୍ଛତା, ପରିମଳ ରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଆଖିଦୃଶିଆ କାମ ହୋଇଛି। ବିଶେଷ କରି ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ, ତାହାର ପୃଥକୀକରଣ, ଉପଯୁକ୍ତ ବର୍ଜ୍ୟ ପରିଚାଳନା, ବର୍ଜ୍ୟ ବସ୍ତୁରୁ ମୋ ଖତ (ପ୍ରାକୃତିକ ସାର) ଉତ୍ପାଦନ କରି ତାହାକୁ କୃଷି କ୍ଷେତ୍ରରେ ଉନ୍ନତ ବ୍ୟବହାର ସାଙ୍ଗକୁ ଏହି କାରଣରୁ ପରିବେଶ ପ୍ରଦୂଷଣ ହ୍ରାସ ଭଳି ଶ୍ରେଷ୍ଠ ପନ୍ଥା ଗ୍ରହଣ କରି ଆସିଛି ଚିକିଟି ଓ ବେଲଗୁଣ୍ଠା ଏନ୍ଏସି। ଏହାଦ୍ବାରା ସହରବାସୀଙ୍କ ଜୀବନ ଧାରଣର ମାନ ଉନ୍ନତ ହେବାକୁ ଲାଗିଛି। କେବଳ ଏତିକି ନୁହେଁ, ସ୍ବଚ୍ଛ ସାଥୀ (ସଫେଇ କର୍ମୀ)ଙ୍କ ସୁରକ୍ଷା, ସେମାନେ ଯେପରି ସୂଚାରୁରୂପେ ନିଜ କାର୍ଯ୍ୟ ନିର୍ବାହ କରିପାରିବେ ସେଥିପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ପ୍ରଦାନ ସାଙ୍ଗକୁ ଆବର୍ଜନା ସଂଗ୍ରହ ଓ ଆବର୍ଜନା ପରିଚାଳନାରେ ମହିଳା ଗୋଷ୍ଠୀଙ୍କୁ ସମ୍ପୃକ୍ତ କରାଯିବାର ସଫଳ ପ୍ରୟୋଗ କରାଯାଇଛି। ସହରବାସୀଙ୍କ ସହଯୋଗ ଯୋଗୁଁ ଦେଶରେ ଆମ ଏନ୍‌ଏସି ସ୍ବଚ୍ଛତା ଆଡ଼କୁ ଆଉ ଏକ ପାଦ ଆଗେଇଲା। ଜନସାଧାରଣ ସ୍ବଛତା ପ୍ରତି ଯଥେଷ୍ଟ ଗୁରୁତ୍ବ ଦେବା ସହ ସଚେତନ ଥିବାରୁ ଏହି ପୁରସ୍କାର ପାଇଁ ଆମେ ଯୋଗ୍ୟ ବିବେଚିତ ହେଲୁ ବୋଲି କହିଛନ୍ତି ଉଭୟ ଏନ୍ଏସିର ଜନ ପ୍ରତିନିଧି ଓ ଅଧିକାରୀ। ଭବିଷ୍ୟତରେ ସ୍ବଚ୍ଛତା ଦିଗରେ ଆହୁରି ଅନେକ ପଦକ୍ଷେପ ନିଆଯିବ, ଏଣୁ ଏ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି।

ଏହି ଖବର ମିଳିବା ପରେ ବେଲଗୁଣ୍ଠା ଏବଂ ଚିକିଟି ଏନ୍ଏସି ଅଧିକାରୀ, କର୍ମଚାରୀ ବିଶେଷ କରି ସଫେଇ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଚିକିଟି ଏନ୍ଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ ଏବଂ ପରିମଳ ବିଶେଷଜ୍ଞ ବାଳକୃଷ୍ଣ ନାୟକ, ବେଲଗୁଣ୍ଠା ଏନ୍‌ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ପାଇଁ ଦିଲ୍ଲୀ ଯାତ୍ରା କରିବେ। ଅକ୍ଟୋବର ପହିଲାରେ ଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Comments are closed.