ସାନ ଭାଇର କୁରାଢ଼ୀ ଚୋଟରେ ବଡ଼ ଭାଇ ମୃତ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲେମଧର ଗ୍ରାମରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର କୈଲାସ ସାହୁ ନିଜ ବଡଭାଇ ଝସକେତନଙ୍କୁ କୁରାଢୀରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ବିଜେପୁର ଥାନା ଆଇଆଇସି ସନୟ କୁମାର ନାଏକ କହିଛନ୍ତି । ଏ ନେଇ ବିଜେପୁର ଥାନାରେ ଏକ ହତ୍ୟା ମାମଲା (ନଂ-୨୦୪/୨୨) ରୁଜୁ ସହିତ ଅଭିଯୁକ୍ତ ଭାଇ କୈଲାସଙ୍କୁ ପୋଲିସ ଗିରଫ କରିଛି ।

ପ୍ରକାଶ ଯେ, ଉଭୟ ଭାଇଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଉଭୟେ ମଙ୍ଗଳବାର ଖେତରେ ଥିବାବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ମୃତ ଝସକେତନ ସାନଭାଇ କୈଲାସ ଉପରକୁ ଏକ ଠେଙ୍ଗା ଉଠାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କୈଲାସ ପାଖରେ ଥିବା ଏକ କୁରାଢୀରେ ଝସକେତନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଝସକେତନ ଗୁରୁତର ଆହତ ହୋଇଥିଲେ। ବିଜେପୁର ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବୁର୍ଲା ପହଞ୍ଚିବା ବେଳକୁ ଝସକେତନଙ୍କ ମୃତ୍ୟୁ ହୋଇ ସାରିଥିଲା। ବୁର୍ଲା ଡାକ୍ତରଖାନାରେ ତାଙ୍କ ମୃତଦେହ ରହିଛି। ବ୍ୟବଚ୍ଛେଦ ପରେ ବୁଧବାର ମୃତଦେହ ଗ୍ରାମକୁ ଆସିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Comments are closed.