ରାଜ୍ୟର ଚାଷୀଙ୍କୁ ବୀମା କମ୍ପାନୀ ପ୍ରତାରଣା କରୁଥିବା କହି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ

ଭୁବନେଶ୍ୱର – ରାଜ୍ୟର ଲକ୍ଷାଧିକ ଚାଷୀଙ୍କୁ ଫସଲବୀମା କମ୍ପାନୀଗୁଡିକ ପ୍ରତାରଣା କରୁଛନ୍ତି । କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଛନ୍ତି । ଚାଷୀଙ୍କୁ ସେମାନଙ୍କ ଫସଲ ବୀମା ମିଳିବା ଦିଗରେ ପଦକ୍ଷେପ ନେବାକୁ ସାଂସଦ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଚାଷୀମାନଙ୍କୁ ଫସଲ ବୀମାରାଶି ଦେବା ନେଇ ବୀମା କମ୍ପାନୀଗୁଡ଼ିକ ଅହେତୁକ ବିଳମ୍ବ କରୁଛନ୍ତି । ଦୀର୍ଘଦିନ ଧରି ଚାଷୀମାନେ ଫସଲ ବୀମା କରିଥିଲେ ମଧ୍ୟ ଆବଶ୍ୟକ ସମୟରେ ମିଳୁନାହିଁ । ବୀମା କମ୍ପାନୀଗୁଡ଼ିକ ବୀମାରାଶି ଦେବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅମର ପଟ୍ଟନାୟକ କେନ୍ଦ୍ର କୃଷିମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବୀମା କମ୍ପାନୀ ଚାଷୀଙ୍କଠାରୁ ଫସଲ ବୀମା ପ୍ରିମିୟମ ନେଇ ଚାଷୀଙ୍କୁ ଠକିବା ଏକ ଦଣ୍ଡନୀୟ ଅପରାଧ । ବୀମା କମ୍ପାନୀଗୁଡିକ ଫସଲ କଟା ସମୟକୁ ଅପେକ୍ଷା କରୁଛନ୍ତି, ଯାହାକି ଫସଲ ବୀମା ନିୟମର ବିରୁଦ୍ଧାଚରଣ । ରାଜ୍ୟରେ ଫସଲ ବୀମା କରୁଥିବା କମ୍ପାନୀଗୁଡ଼ିକଙ୍କ ମନମାନୀ ଚରମ ସୀମାରେ ପହଞ୍ଚିଛି । ଅନେକ ସମୟରେ ରାଜ୍ୟ ସରକାର ଚାଷୀଙ୍କୁ ସେମାନଙ୍କ ବୀମାରାଶି ଦେବାକୁ ଏସବୁ କମ୍ପାନୀକୁ ଅନୁରୋଧ କରୁଥିଲେ ମଧ୍ୟ କମ୍ପାନୀ ଶୁଣୁନାହାନ୍ତି । ଏ ପ୍ରସଙ୍ଗ ରାଜ୍ୟସଭାର ଶୂନ୍ୟକାଳରେ ଉଠିଥିଲା । କିନ୍ତୁ ବୀମା କମ୍ପାନୀଗୁଡ଼ିକୁ କାହାକୁ ଖାତିର କରୁନାହାନ୍ତି । ତେଣୁ କେନ୍ଦ୍ର କୃଷି ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିଜେଡି ସାଂସଦ।

Comments are closed.