ସହରାଞ୍ଚଳ ଘର ନିର୍ମାଣରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କୃତ ହେବ ଓଡ଼ିଶା

ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ଆବାସ (ସହର) ନିର୍ମାଣ କ୍ଷେତ୍ରରେ ସଫଳ ପ୍ରଦର୍ଶନ ପାଇଁ ଓଡ଼ିଶା ପୁରସ୍କୃତ ହେବ। କେନ୍ଦ୍ର ନଗର ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ଦିଆଯିବ । ସ୍ୱତନ୍ତ୍ର ବର୍ଗ ପୁରସ୍କାର କ୍ଷେତ୍ରରେ ଓଡ଼ିଶାକୁ ‘ବେଷ୍ଟ ପଲିସି ଇନିସିଏଟିଭ୍‌‌’ ପାଇଁ ପୁରସ୍କାର ଦିଆଯିବ । ଘର ନିର୍ମାଣ ପାଇଁ ପ୍ରଦାନ କରାଯାଉଥିବା ସରକାରୀ ସହାୟତାରେ କେମିତି ଗରିବ ଲୋକମାନେ ତୁରନ୍ତ ଗୃହ ନିର୍ମାଣ କରିବେ ଓ ଏହି ଅର୍ଥ ସେମାନେ ପାଇପାରିବେ ସେ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମଏୱାଇ-ୟୁ ପୁରସ୍କାର-୨୦୨୧ ରେ ୧୫୦ ଦିନର ଚ୍ୟାଲେଞ୍ଜ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ୧୫୦ ଦିନରେ ହିତାଧିକାରୀମାନେ କିପରି ଘର କରିବେ ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ଅନ୍ୟମାନେ ଉତ୍ସାହିତ ହେବା ସହିତ ଗୃହ ନିର୍ମାଣ କ୍ଷେତ୍ରରେ ସଫଳତା ମିଳିବ ବୋଲି ଲକ୍ଷ୍ୟ ରହିଛି। ଏହି ଆଧାରରେ ଓଡ଼ିଶା ପୁରସ୍କୃତ ହେବା ସହିତ ଓଡ଼ିଶାର ୩ ଜଣ ହିତାଧିକାରୀ ମଧ୍ୟ ପୁରସ୍କୃତ ହେବେ।

ଧାମନଗର ଏନ୍‌‌ଏସିର ବାଇନ ଜେନା, ଚୌଦ୍ୱାର ମ୍ୟୁନିସିପାଲିଟିର ବାବନ ଖିଲାର ଓ କାଶିନଗର ଏନ୍‌‌ଏସିର ପୋଲକି ସଞ୍ଜୀବ ରାଓଙ୍କୁ ପୁରସ୍କୃତ କରାଯିବ।

Comments are closed.