ମୁଲାୟମ ସିଂହ ଯାଦବ: କୁସ୍ତି ଆଖଡାରୁ ରାଜନୀତିର ପୋଖତ ଖେଳାଳି

ନୂଆଦିଲ୍ଲୀ: ଆଉ ନାହାଁନ୍ତି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ସାଂସଦ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି ।

ଅସୁସ୍ଥତା କାରଣରୁ ମୁଲାୟମ ଅଗଷ୍ଟ ୨୨ରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଅକ୍ଟୋବର ୨ରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଦେଶର ଜଣେ ପ୍ରଭାବଶାଳୀ ନେତା ଥିଲେ ମୁଲାୟମ । ସେ ଉତ୍ତର ପ୍ରଦେଶର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାଛଡ଼ା ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ନେତାଜୀ ଭାବେ ପରିଚିତ ମୁଲାୟମ ୧୦ ଥର ବିଧାୟକ ଓ ୮ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

କୁୁସ୍ତି ଆଖଡ଼ାରୁ ଜାତୀୟ ରାଜନୀତିର ଜଣେ ପୋଖତ ଖେଳାଳି ପର୍ଯ୍ୟନ୍ତ ମୁଲାୟମ ସିଂହଙ୍କ ଯାତ୍ରା ରୋଚକ ତଥା ଘଟଣାବହୁଳ ଥିଲା।

ତାଙ୍କ ପିତା ସୁଘର ସିଂହ ଚାହୁଁଥିଲେ ଯେ ମୁଲାୟମ ଜଣେ କୁସ୍ତିଯୋଦ୍ଧା ହୁଅନ୍ତୁ । ଏଥିପାଇଁ ସେ ଏ ଦିଗରେ ଉଦ୍ୟମ ମଧ୍ୟ ଆରମ୍ଭ କରିଥିଲେ। ମୈନପୁରୀରେ ଆୟୋଜିତ ଏକ କୁସ୍ତି ପ୍ରତିଯୋଗିତାରେ ମୁଲାୟମ ସିଂହ ଯାଦବ ତାଙ୍କ ରାଜନୈତିକ ଗୁରୁ ନାଥୁସିଂହଙ୍କୁ ବେଶ୍ ପ୍ରଭାବିତ କରିଥିଲେ । ଏହି ଠାରୁ ହିଁ ମୁଲାୟମଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା।

ମୁଲାୟମ ସିଂହ ଯାଦବ ୨୨ ନଭେମ୍ବର ୧୯୩୯ରେ ଇଟାୱା ଜିଲ୍ଲାର ଏକ ଛୋଟ ଗାଁ ସୈଫାଇରେ ଜନ୍ମଗ୍ରହଣ କରିଥିଲେ। ପାଞ୍ଚ ଭାଇ-ଭଉଣୀଙ୍କ ମଧ୍ୟରେ ମୁଲାୟମ ସିଂହ ଯାଦବ ଥିଲେ ଦ୍ବିତୀୟ । ମୁଲାୟମ ସିଂହ ଯାଦବ ପ୍ରଥମେ କିଛି ଦିନ ଶିକ୍ଷକତା କରିଥିଲେ। କିନ୍ତୁ ରାମ ମନୋହର ଲୋହିଆଙ୍କ ସମାଜବାଦୀ ବିଚାରଧାରା ଦ୍ଵାରା ପ୍ରଭାବିତ ହୋଇ ସେ ରାଜନୀତିକୁ ଓହ୍ଲାଇଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ମୁଲାୟମ ସିଂହ ଯାଦବ ଆଗ୍ରା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଜୈନ ଇଣ୍ଟର କଲେଜ କରହଲ (ମୈନପୁରୀ) ରୁ ବି.ଟି କରିଥିଲେ । ସେ ଇଣ୍ଟର କଲେଜରେ କିଛି ଦିନ ଶିକ୍ଷାଦାନ ମଧ୍ୟ କରିଥିଲେ ।

ମୁଲାୟମଙ୍କୁ ତାଙ୍କର ରାଜନୈତିକ ଗୁରୁ ନାଥୁସିଂହ ତାଙ୍କ ପାରମ୍ପରିକ ଆସନ ଯଶୱନ୍ତନଗରରୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲେ । ଏବଂ ୧୯୬୭ ମସିହାରେ ସେ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଏବଂ ୨୮ ବର୍ଷ ବୟସରେ ଉତ୍ତର ପ୍ରଦେଶ ବିଧାନସଭାକୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ମୁଲାୟମ ସିଂହ ଯାଦବ ଲଗାତାର ୧୯୭୪, ୧୯୭୭, ୧୯୮୫, ୧୯୮୯, ୧୯୯୧, ୧୯୯୩, ୧୯୯୬ରେ ଯଶୱନ୍ତନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ‘ଲୋକ ଦଳ’ ବିଧାୟକ ଭାବେ ରାଜନୀତିରେ ପ୍ରବେଶ କରିଥିବା ମୁଲାୟମ, ଲୋହିଆଙ୍କ ମୃତ୍ୟୁ ପରେ ଚୌଧୁରୀ ଚରଣ ସିଂହଙ୍କ ଦଳ ‘ଭାରତୀ କ୍ରାନ୍ତି ଦଳ’ରେ ଯୋଗ ଦେଇଥିଲେ। ଜରୁରୀକାଳିନ ପରିସ୍ଥିତି ସମୟରେ ମୁଲାୟମ ମିସାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ୧୯୭୯ରେ ଚୌଧୁରୀ ଚରଣ ସିଂହ ‘ଲୋକ ଦଳ’ ନାମକ ନୂଆ ଦଳ ପ୍ରତିଷ୍ଠା କରିଥିବା ବେଳେ ମୁଲାୟମ ସେହି ନୂଆ ଦଳ ସହ ବି ଯୋଡି ହୋଇ ରହିଥିଲେ । ୧୯୮୯ରେ ସେ ଜନତା ପାର୍ଟିରେ ଯୋଗ ଦେଇ ପ୍ରଥମ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୧୯୯୨ରେ ମୁଲାୟମ ସିଂହ ଯାଦବ ନିଜର ଏକ ନୂଆ ଦଳ ସମାଜବାଦୀ ପାର୍ଟି ଗଠନ କରିଥିଲେ । ପରବର୍ତ୍ତୀ ସମୟରେ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶର ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା | ଏହି ଦଳ ରାଜ୍ୟରେ ଚାରିଥର ସରକାର ଗଠନ କରିଥିଲା। ମୁଲାୟମ ନିଜେ ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୨୦୧୨ରେ ଚତୁର୍ଥ ଥର ପାଇଁ ତାଙ୍କ ପୁଅ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ସରକାର ଗଢ଼ିଥିଲା ।

୧୯୯୬ ମସିହାରେ ‘ୟୁନାଇଟେଡ୍ ଫ୍ରଣ୍ଟ’ ମେଣ୍ଟ ଯେତେବେଳେ କଂଗ୍ରେସକୁ ହରାଇ ସରକାର ଗଠନ କରିଥିଲା, ମୁଲାୟମ ସିଂ ଯାଦବ କେନ୍ଦ୍ରୀୟ ରାଜନୀତିରେ ପ୍ରବେଶ କରିଥିଲେ । ତାଙ୍କୁ ଏଚଡି ଦେବ ଗୌଡାଙ୍କ ନେତୃତ୍ଵାଧୀନ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା । କିନ୍ତୁ ଏହି ସରକାର ବେଶି ଦିନ ତିଷ୍ଠି ପାରିନଥିଲା । ତିନି ବର୍ଷ ମଧ୍ୟରେ ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ବଦଳିବା ପରେ ସଂଯୁକ୍ତ ମେଣ୍ଟ ସରକାର କ୍ଷମତାଚ୍ୟୁତ ହୋଇଯାଇଥିଲା । ବିଜେପି ସହିତ ତାଙ୍କର ବିମୁଖତା ଯୋଗୁଁ ସେ କଂଗ୍ରେସର ନିକଟତର ହେବେ ବୋଲି ଚର୍ଚ୍ଚା ହୋଇଥିଲା ‌। କିନ୍ତୁ ୧୯୯୯ ଲୋକସଭା ନିର୍ବାଚନରେ ତାଙ୍କ ସମର୍ଥନ ନେଇ ପ୍ରତିଶ୍ରୁତି ନ ମିଳିବାରୁ କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କରିବାରେ ବିଫଳ ହୋଇଥିଲା । ଏହାପରେ ଦୁଇ ଦଳ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା।

ବିବାଦ: ନବେ ଦଶକର ପ୍ରାରମ୍ଭରେ ଯେତେବେଳେ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନ ତୀବ୍ର ହୋଇଥିଲା, ମୁଲାୟମ ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ବାବ୍ରି ମସଜିଦ ଭାଙ୍ଗିବା ପାଇଁ ଅଯୋଧ୍ୟାରେ ସମାଗମ ହୋଇଥିବା କର ସେବକଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ଏଭଳି ପଦକ୍ଷେପକୁ ନେଇ ବଡ଼ ବିବାଦ ଉଠିଥିଲା । ସରକାରୀ ଭାବେ ଉକ୍ତ ଘଟଣାରେ ୩୦ କର ସେବକଙ୍କ ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଥିଲା । କିନ୍ତୁ ଏହି ତଥ୍ୟର ସତ୍ୟତା ଉପରେ ପ୍ରଶ୍ନ ଉଠିଥିଲା । ଏହାପରେ ସ୍ବତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ଗଠନକୁ ସମର୍ଥନ କରି ମଧ୍ୟ ମୁଲାୟମ ବିବାଦୀୟ ହୋଇପଡିଥିଲେ।

ମୁଲାୟମ ସିଂହ ଯାଦବଙ୍କ ରାଜନୈତକ ଯାତ୍ରା:

– ୧୯୬୭ ମସିହାରେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର ଯଶୱନ୍ତନଗରରୁ ବିଧାୟକ ଭାବେ ନିର୍ବାଚିତ।
– ମୁଲାୟମ ସିଂ ଯାଦବ ୧୯୬୬ ପର୍ଯ୍ୟନ୍ତ ଯଶୱନ୍ତନଗରୁ ଏମ୍ଏଲ୍ଏ ଥିଲେ ।
– ୧୯୮୯ରେ ମୁଲାୟମ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।
– ୧୯୯୩ରେ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ।
– ୧୯୯୬ରେ ପ୍ରଥମ ଥର ପାଇଁ ମୁଲାୟମ ସିଂ ଯାଦବ ମୈନପୁରୀରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ।
– ୧୯୯୬ ରୁ ୧୯୯୮ ପର୍ଯ୍ୟନ୍ତ ସେ ୟୁନାଇଟେଡ୍ ଫ୍ରଣ୍ଟ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।
– ଏହା ପରେ ମୁଲାୟମ ସମ୍ଭଲ୍ ଏବଂ କନୌଜରୁ ମଧ୍ୟ ଲୋକସଭା ନିର୍ବାଚନ ଜିତିଥିଲେ।
– ୨୦୦୩ରେ ମୁଲାୟମ ସିଂ ଯାଦବ ପୁଣି ଥରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।
– ୨୦୦୭ ପର୍ଯ୍ୟନ୍ତ ମୁଲାୟମ ସିଂ ଯାଦବ ୟୁପିର ମୁଖ୍ୟମନ୍ତ୍ରୀ ରହିଥିଲେ।
– ଇତି ମଧ୍ୟରେ ୨୦୦୪ରେ ସେ ଲୋକସଭା ନିର୍ବାଚନରେ ​​ମଧ୍ୟ ଜିତିଥିଲେ, କିନ୍ତୁ ପରେ ସେ ଇସ୍ତଫା ଦେଇଥିଲେ।
– ୨୦୦୯ରେ ସେ ମୈନପୁରୀରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ।
– ୨୦୧୪ରେ ମୁଲାୟମ ଉଭୟ ଆଜମଗଡ ଏବଂ ମୈନପୁରୀରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଦୁଇଟି ଯାକ ଆସନରୁ ଜିତିଥିଲେ । ପରେ ସେ ମୈନପୁରୀ ଆସନ ଛାଡ଼ି ଦେଇଥିଲେ।
– ୨୦୧୯ ନିର୍ବାଚନରେ ସେ ପୁଣି ମୈନପୁରୀ ଲୋକସଭା ଆସନରୁ ​​ଲଢି ଜିତିଥିଲେ।

Comments are closed.