ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କଲା ଗୋପାଳପୁର ପୋଲିସ

ବ୍ରହ୍ମପୁର: ଗୋପାଳପୁର ଥାନା ପୋଲିସ ୩ ଜଣିଆ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କରିବାରେ ସଫଳ ହୋଇଛି। ଗତ କିଛି ଦିନ ମଧ୍ୟରେ ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ଏକାଧିକ ଚୋରି, ଚୋରି ଉଦ୍ୟମ ଘଟଣା ଘଟିଥିଲା। ସେଥିରେ ଅଭିଯୁକ୍ତ ଏହି ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ତିନି ଜଣ ହେଉଛନ୍ତି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର ସମୀର କୁମାର ଦୋରା, ରଜତ କୁମାର ଦାସ ଓ ପ୍ରବୀଣ କୁମାର ଭୂୟାଁ। ସେମାନଙ୍କ ଠାରୁ ପୋଲିସ ୧ ଲକ୍ଷ ୪୦ ହଜାର ଟଙ୍କା, ୮ ଗୋଟି ମୋବାଇଲ୍ ଓ ଲ୍ୟାପ୍‌ଟପ୍ ଜବତ କରିଛି।

ସହର ଓ ଆଖପାଖ ଇଲାକାରେ ବାରମ୍ବାର ଚୋରି, ଲୁଟ୍‌ ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଶନିବାର ରାତିରେ ଆମ୍ବପୁଆ ହାଉସିଂ ବୋର୍ଡ ନିକଟ ଏକ ଔଷଧ ଦୋକାନରୁ ୩୦ ହଜାର ଟଙ୍କା, ୨ ଗୋଟି ମୋବାଇଲ୍, ଗୋଟିଏ ଲାପ୍‌ଟପ୍ ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିଲା। ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ ପରେ ଏହି ୩ ଜଣଙ୍କୁ କାବୁ କରିଥିଲା ପୋଲିସ। ସୌଖୀନ ଜୀବନଯାପନ ସକାଶେ ଟଙ୍କା ଯୋଗାଡ଼ କରିବାକୁ ସେମାନେ ଏହି ଲୁଟପାଟ କରୁଥିଲେ। ତାଲା ବନ୍ଦ ଘରକୁ ଟାର୍ଗେଟ୍ କରି ଚୋରି କରୁଥିଲେ। ପୋଲିସ ଯାଞ୍ଚ ପରେ ଅଭିଯୁକ୍ତମାନେ ସତ କଥା ମାନି ନେଇଛନ୍ତି। ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍ ଗୋପାଳପୁର ଥାନାରେ ପହଞ୍ଚି ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ଠାରୁ ତଦନ୍ତର ଅଗ୍ରଗତି ପରଖିଛନ୍ତି।

Comments are closed.