ବ୍ରହ୍ମପୁର ପୋଲିସର କଡ଼ା ନଜର: ସାବାଡ଼ ହେବେ ମଦ୍ୟପ ଚାଳକ

ବ୍ରହ୍ମପୁର: ପାର୍ବଣ ଋତୁ ସରି ଆସୁଛି। ଆଗକୁ ଦୀପାବଳି। ଏହି ଅବସରରେ ଜୁଆ ଖେଳ ବିରୋଧରେ ଅଭିଯାନ ଜାରି ରଖିଥିବା ବ୍ରହ୍ମପୁର ପୋଲିସର କଡ଼ା ନଜରରେ ଏବେ ମଦ୍ୟପ ଗାଡ଼ି ଚାଳକ। ସେମାନଙ୍କ ବିରୋଧରେ ଧରପଗଡ଼ ଅଭିଯାନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍। କେବଳ ମଦ ପିଇ ଯାନବାହନ ଚଳାଉଥିବା ବ୍ୟକ୍ତି ନୁହଁନ୍ତି, ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଲୋକଙ୍କୁ ମଧ୍ୟ ସାବାଡ଼ କରିବ ପୋଲିସ। ଏଥିପାଇଁ ବିଭିନ୍ନ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି। ଉଲ୍ଲେଖଯୋଗ୍ୟ ଯେ ରବିବାର ସନ୍ଧ୍ୟା ସୁଦ୍ଧା ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ୨୧ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ୬ ଜଣଙ୍କୁ ଗିରଫ କରାଯାଇଛି।

ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଲୋକଙ୍କ ଯୋଗୁଁ ସହର ତଥା ରାଜପଥରେ ଦୁର୍ଘଟଣା ସଂଖ୍ୟା ଉପରମୁହାଁ ହେଉଛି। ଏଣୁ ସଡ଼କ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ଏଭଳି ବେଆଇନ କାର୍ଯ୍ୟ ଉପରେ ଲଗାମ କଷିବା ପାଇଁ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ପୋଲିସ। ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପି ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣ ସ୍ଥାନ ଓ ଠିପି ବନ୍ଦ (ଅଫ୍ ସପ୍)ରେ ମଦ ପିଉଥିଲେ, ମଦ୍ୟ ପାନ କରି ଅଯଥାରେ ହଙ୍ଗାମା କରୁଥିଲେ ଲୋକେ ପୋଲିସକୁ ସୂଚନା ଦିଅନ୍ତୁ। ତୁରନ୍ତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପଙ୍କୁ କାବୁ କରିବା ସହ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବ ବୋଲି ଏସ୍‌ପି ଡା. ସର୍ବଣା ବିବେକ ଏମ୍ କହିଛନ୍ତି।

ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୩୬ରୁ ଅଧିକ ଠିପି ବନ୍ଦ ଏବଂ ୨୬ରୁ ଅଧିକ ଠିପି ଖୋଲା ମଦ ଦୋକାନ ରହିଛି। ଅନେକ ବାର୍ ମଧ୍ୟ ଅଛି। ହେଲେ ମଦ୍ୟପାନ କରି ବିଶୃଙ୍ଖଳା କରୁଥିବା, ମହିଳା ଓ ବିଦ୍ୟାର୍ଥୀଙ୍କୁ ହଇରାଣ ହରକତ କରୁଥିବା ଲୋକେ ଏଣିକି ସାବଧାନ ହୋଇଯାଆନ୍ତୁ। ନଚେତ୍ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଗତମାସରେ ୫୩ ଜଣ ମଦୁଆ ଚାଳକଙ୍କୁ କାବୁ କରିଥିଲା ପୋଲିସ। ପ୍ରତ୍ୟେକଙ୍କ ଠାରୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା। ତଥାପି ମଦୁଆ ଚାଳକ ସୁଧୁରି ନଥିବାରୁ ସେମାନଙ୍କୁ ସାବାଡ଼ କରିବା ପାଇଁ ଗିରଫ କରି ଜେଲ ହାଜତକୁ ପଠାଇଦେବ ପୋଲିସ। ଏଥିସହ ଗାଡ଼ି ଜବତ କରାଯିବ, ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆର୍‌ଟିଓଙ୍କୁ ପତ୍ର ଲେଖାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଚେତାଇ ଦେଇଛନ୍ତି।

Comments are closed.