ଚାଷୀଙ୍କ ପାଇଁ ‘ସଫଳ’ କୃଷି ଋଣ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର -ଚାଷୀଙ୍କ ପାଇଁ ଆହୁରି ସହଜ ହେବ ଋଣ ଆବେଦନ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟାଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ‘ସଫଳ’ ପୋର୍ଟାଲର ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲ ‘କୃଷକ ଓଡ଼ିଶା’ ଡାଟାବେସ ସହ ସଂଯୁକ୍ତ ଓ ୪୦ରୁ ଅଧିକ ବ୍ୟାଙ୍କକୁ ଏଥିରେ ସଂଯୋଗୀକୃତ କରାଯାଇଛି।

ସଫଳ’ ପୋର୍ଟାଲର ଶୁଭାରମ୍ଭ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ସରକାରୀ ତଥା ବେସରକାରୀ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଫାଇନାନ୍ସରୁ ଆନୁଷ୍ଠାନିକ କ୍ଷେତ୍ର ଋଣ ପାଇବା ପାଇଁ କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏହା ୱାନ୍‌ ଷ୍ଟପ୍ ସମାଧାନ । କୃଷକମାନେ ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ ଆମ କୃଷି ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ ।କୃଷକ ଓଡ଼ିଶା ଡାଟାବେସ ସହ ସଂଯୁକ୍ତ ହେବ ‘ସଫଳ’ ପୋର୍ଟାଲ। ଏଥିରେ ୪୦ରୁ ଅଧିକ ବ୍ୟାଙ୍କ ଏଥିରେ ଯୋଡିହେବେ, ଯାହା ଦ୍ବାରା କୃଷକମାନଙ୍କୁ ସହଜରରେ ଋଣ ମିଳିପାରିବ। WWW.safal.odisha.gov.inରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ‘ସଫଳ’ ଆମ ରାଜ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରଗୁଡିକୁ ପ୍ରୋତ୍ସାହିତ କରିବ ଏବଂ କମ୍ ସମୟ ମଧ୍ୟରେ ଆମ କୃଷକଙ୍କ ଆର୍ଥିକ ଶକ୍ତି ବୃଦ୍ଧି ପାଇଁଏକ ସୁବିଧାକାରୀ ମାଧ୍ୟମ ହେବ। କୃଷକମାନେ ଆମର ଅର୍ଥନୀତିର ମେରୁଦଣ୍ଡ ଏବଂ ଆମ ଦେଶର ବିକାଶର ଚାକିକାଠି । ଏଣୁ ସେମାନେ ଉନ୍ନତି କରିପାରିଲେ ଆମେ ଉନ୍ନତି ପଥରେ ଅଧିକ ଅଗ୍ରସର ହୋଇପାରିବା । ଆମ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛି। କୃଷକଙ୍କ ଆୟ ବୃଦ୍ଧିରେ ସରକାର ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.