ଥମିଲା ହାଇଭୋଲଟେଜ ପ୍ରଚାର, ଗୁରୁବାର ଭୋଟ ପାଇଁ ପ୍ରସ୍ତୁତ ଧାମନଗର

ଭୁବନେଶ୍ୱର – ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଙ୍ଗଳବାର ସଂଧ୍ୟାରେ ଶେଷ ହୋଇଛି ପ୍ରଚାର । ଆସନ୍ତା ୩ ତାରିଖ ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ନିର୍ବାଚନ ପରିଚାଳନା ଓ ପ୍ରଚାରର ମଙ୍ଗ ଧରିଥିବା ରାଜ୍ୟର ନେତାମାନେ ଏବେ ଭଦ୍ରକରେ ଡେରା ପକାଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ କରିଛନ୍ତି। ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ଆସନରେ ଉପନିର୍ବାଚନ ହେଉଛି। ଏହି ଆସନ ବିଜେପିଠାରୁ ଛଡ଼ାଇ ଆଣିବା ପାଇଁ ବିଜେଡି ଆଶାବାଦୀ। ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେପି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି ।

ଆସନ୍ତା ୩ ତାରିଖ ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥ ମଧ୍ୟରୁ ୧୦୭ଟି ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି । ପ୍ରାୟ ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ କରାଯିବ । ନିର୍ବାଚନ ପରିଚାଳନା ନିମନ୍ତେ ମୋଟ ୨ଜଣ ପର୍ଯ୍ୟବେକ୍ଷକ ଓ ଅନ୍ୟ ୨୬ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ୨ କମ୍ପାନୀ ସିଆରପିଏଫ ଓ ୨ କମ୍ପାନୀ ବିଏସଏଫ ମୁତୟନ କରାଯାଇଛି । ଏଥିସହ ୨୩ ପ୍ଲାଟୁନରୁ ଅଧିକ ରାଜ୍ୟ ପୁଲିସ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ୬ ତାରିଖରେ ଭୋଟ ଗଣତି ହେବ ।

Comments are closed.