ପାରଦ ଖସୁଛି, ପର୍ଯ୍ୟଟକ ବଢୁଛନ୍ତି: ଖୋଲିଲା ରାତ୍ର ଆଶ୍ରୟସ୍ଥଳ 

ଫୁଲବାଣୀ: ନଭେମ୍ବର ମାସ ଯେତେ ଆଗେଇ ଯାଉଛି ଶୀତର ପ୍ରକୋପ ସେତେ ବୃଦ୍ଧି ପାଇବାରେ ଲାଗିଛି। ପାରଦ ଖସୁଛି ଆଉ ରାଜ୍ୟରେ ଥଣ୍ଡା ବଢୁଛି। ସାରା ରାଜ୍ୟରେ ଧିରେ ଧିରେ ଶୀତ ଲହରୀ ଖେଳିଯାଉଛି। ମୌସୁମୀ ପ୍ରବାହ ଓଡ଼ିଶାରୁ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହେବାର ବେଶ୍ କିଛି ଦିନ ପରେ ଏବେ ରାଜ୍ୟବାସୀ ଶୀତର ମଜା ଉଠାଇବାକୁ ତତ୍ପର ହୋଇ ଉଠିଛନ୍ତି। ଆଗକୁ ଥଣ୍ଡା ଅଧିକ ବଢ଼ିବା ସହିତ ତାପମାତ୍ରା ଆହୁରି ଖସିବା ଅନୁମାନ କରାଯାଉଛି।

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ୯ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି। ଜାଡ଼ରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି। ଜି.ଉଦୟଗିରିରେ ପାରଦ ଖସି ଜି.ଉଦୟଗିରିରେ ତାପମାତ୍ରା ୯.୬ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଶୀତ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ପ୍ରବଳ ଶୀତ ହେଉଥିବାରୁ ସନ୍ଧ୍ୟା ପର ଠାରୁ ବଜାର ରାସ୍ତାଘାଟ ଏକରକମ ଜନଶୂନ୍ୟ ହୋଇଯାଉଛି। ଜନସାଧାରଣ ବଢୁଥିବା ଥଣ୍ଡା ଦାଉରୁ ନିଜକୁ ରକ୍ଷା କରିବା ନିମନ୍ତେ ନିଆଁ ଜାଳି ସେକି ହେଉଛନ୍ତି। ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ବାଲିଗୁଡ଼ା, ଜି.ଉଦୟଗିରି ଆଦି ସହରରେ ପ୍ରଶାସନ ତରଫରୁ ରାତ୍ରକାଳୀନ ଆଶ୍ରୟସ୍ଥଳ ମଧ୍ୟ ଖୋଲାଯାଇଛି।

ତେଣେ ଶୀତଋତୁର ମଜା ଉଠାଇବା ନିମନ୍ତେ କନ୍ଧମାଳ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ମଧ୍ୟ ଛୁଟିଲାଣି। କୁହୁଡ଼ି ଭରା ରାସ୍ତା ଓ କାକରବିନ୍ଦୁରେ ପରିପୂର୍ଣ୍ଣ ପରିବେଶ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ଲୋକେ ଭୋରରୁ ସକାଳୁଆ ଚାଲି, ସନ୍ଧ୍ୟାରେ ନିଆଁ ସେକିବାର ମଜା ଉଠାଉଛନ୍ତି। କୁହୁଡ଼ି ଯୋଗୁଁ ସକାଳ ଚାହାର ଚାହିଦା ବଢି ଯାଇଛି। ତେଣେ ସକାଳୁଆ ଚାଲି ଓ ଯୋଗ ପ୍ରାଣାୟାମ ତଥା ବ୍ୟାୟାମ ବାଦେ ଲୋକେ ଘରୁ ବାହାରିବାକୁ ଇଚ୍ଛା କରୁନାହାଁନ୍ତି। ରାସ୍ତାରେ ସନ୍ଧ୍ୟାରୁ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଗାଡ଼ିମୋଟର ଯାତାୟାତ ବେଶ୍ କମିଯାଉଛି।

Comments are closed.