ଐତିହାସିକ କିର୍ତ୍ତୀରାଜିରେ ଭରା ଆମ ସିଂହନାଥ ମନ୍ଦିର 

କଟକ ଜିଲ୍ଲାର ବଡମ୍ବା ବ୍ଲକ ଅନ୍ତର୍ଗତ ଗୋପୀନାଥ ପୁର ଗ୍ରାମରେ ମହାନଦୀର ମଧ୍ୟଭାଗରେ ରହିଛି ଐତିହାସିକ କିର୍ତ୍ତୀରାଜିରେ ଭରା ଏକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର। ଏହି ମନ୍ଦିରଟି ସିଂହନାଥ ମନ୍ଦିର ନାମରେ ଓଡ଼ିଶାରେ ପ୍ରସିଦ୍ଧ । ଏହି ମନ୍ଦିରଟି ମହାନଦୀର ସୁବିସ୍ତାର ମହାନଦୀ ଗର୍ଭର ମଧ୍ୟଭାଗ ରେ,ଦେବଦାରୁ ତଥା ଆମ୍ରବୃକ୍ଷ ଘେରା ମନୋରମ ପ୍ରାକୃତିକ ପରିବେଶରେ ମନ୍ଦିରଟି ଏକଛୋଟିଆ ବାଲିକୁଦ ଉପରେ ସଗର୍ବେ ଅକ୍ଷୁର୍ଣ୍ଣଭାବେ ଦଣ୍ଡାୟ ମାନ । ଏହି ପ୍ରାକୃତିକ ପରିବେଶଟି ଯେ କୌଣସି ଦର୍ଶନାର୍ଥୀର ମନକୁ ମୋହିନେବ ।

କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର, ପତ୍ନୀ ସୀତା ମାତା ଓ ଭ୍ରାତା ଲକ୍ଷ୍ମଣ ଙ୍କ ସହିତ ଚଉଦ ବର୍ଷର ବନବାସ ସମୟରେ ଏହି ଅଞ୍ଚଳ ଦେଇ ଗମନ କରିଥିଲେ ଏବଂ କିଛି କାଳ ପାଇଁ ଏହି ସ୍ଥାନରେ ଅବସ୍ଥାନ କରିଥିଲେ । ତାଙ୍କ ରହଣି ସମୟରେ ସେମାନେ ତିନିଗୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ।

ତ୍ରିକୂଟପାହାଡ଼ ଉପରେ ଭଗବାନ ରାମଚନ୍ଦ୍ର ଯେଉଁ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ତାହା ପରବର୍ତ୍ତୀ ସମୟରେ “ରାମନାଥ” ନାମରେ ପରିଚିତ। ସେହିପରି ସୀତାମାତା ବା ବୈଦେହିଙ୍କ ଦ୍ଵାରା, ପାହାଡ଼ ପାଦଦେଶରେ ଯେଉଁ ଶିବଲିଙ୍ଗଟି ପ୍ରତିଷ୍ଠା କରିଥିଲେ ତାହାତାଙ୍କ ନାମାନୁସାରେ ବୈଦେହୀଶ୍ୱର ବା “ବୈଦେଶ୍ଵର” ନାମରେ ଖ୍ୟାତ ହେଲେ । ଠିକ ସେହିପରି ଭଗବାନ ରାମଚନ୍ଦ୍ରଙ୍କ ଅନୁଜ ଭ୍ରାତା ଶ୍ରୀଲକ୍ଷ୍ମଣ, ମହାନଦୀ ଗର୍ଭରେ ଥିବା ଏହିକୁଦଉପରେ ଏକଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଯାହାକି “ସିଂହନାଥ” ବା ନଦୀ ବାଲିରେ ଥିବା ହେତୁ “ବାଲି ସିଂହନାଥ” ନାମରେ ପରିଚିତ ହେଲେ । ଏହି ତିନୋଟି ଶିବ ମନ୍ଦିରକୁ କଟକର ସ୍ବର୍ଣ୍ଣତ୍ରିଭୁଜ କହିଲେ ଅତ୍ୟୁକ୍ତି ହେବନାହିଁ ।

ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଏହି କାରୁକାର୍ଯ୍ୟ ମଣ୍ଡିତ ମନ୍ଦିରଟି ଭୌମକର ଶାସକ ମାନଙ୍କ ଦ୍ୱାରା ନବମଶତାବ୍ଦୀ ବା ତା ପୂର୍ବ ସମୟ ରେ ନିର୍ମାଣ କରାଯାଇଥିଲା । ମନ୍ଦିରଟି ଅତିବେଶୀ ରେ ପଚିଶ ତିରିଶ ଫୁଟ ଉଚ୍ଚହେବ । ମନ୍ଦିରର ବିମାନଟି ରେଖ ଶୈଳୀରେ ନିର୍ମିତ ହୋଇଥିବା ବେଳେ, ଜଗମୋହନଟି ଏକ ସମତଳ ଆୟତା କାର ଛାତ ସଦୃଶ ଅଟେ ।

ଜଗମୋହନର ବାହ୍ୟ ପାର୍ଶ୍ୱ ତଥା ମନ୍ଦିର ଚତୁଃପାର୍ଶରେ ଚମତ୍କାର ସୁକ୍ଷ୍ମ କଳାକୃତିମାନ ଦେଖିବାକୁ ମିଳିଥାଏ । ପ୍ରବେଶ ଦ୍ୱାରରେ ଗଙ୍ଗା ଯମୁନାଙ୍କ ସୁନ୍ଦର ମୂର୍ତ୍ତି ସହିତ ସପ୍ତ ମାତୃକାଙ୍କ ଦୁର୍ଲଭ ମୂର୍ତ୍ତିମାନ ଖୋଦିତ ହୋଇଛି । ମନ୍ଦିର ଚାରିପାଖରେ ରାମାୟଣ କଥାବସ୍ତୁକୁ ନେଇ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟର ମୂର୍ତ୍ତିମାନ ରହିଛି । ମନ୍ଦିର ପ୍ରବେଶ ପଥରେ ଚମତ୍କାର କଳାକୃତି ସହିତ ନବଗ୍ରହଙ୍କ ବଦଳରେ ଅଷ୍ଟଗ୍ରହଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ହୁଏତ ସେ କାଳରେ ନବଗ୍ରହଙ୍କ ପୂଜାଵିଧି ପ୍ରଚଳିତ ନଥିଲା । ମନ୍ଦିର ବାହାର କାନ୍ଥରେ ଗଣେଶ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ସହିତ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପ୍ରତିମା ବି ରହିଛି ।

ମନ୍ଦିରଟି ବହୁପ୍ରାଚୀନ ହୋଇ ଥିଲେ ବି ପରବର୍ତ୍ତୀ ସମୟରେ ବଡ଼ମ୍ବାର ଶାସକଙ୍କ ଦ୍ୱାରା ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସମୟାନୁଯାୟୀ ମରାମତି ଯୋଗୁଁ ଅକ୍ଷୁର୍ଣ୍ଣ ଭାବେ ଦଣ୍ଡାୟମାନ । ବର୍ତ୍ତମାନ ସରକାରଙ୍କ ତରଫରୁ ମଧ୍ୟ ମନ୍ଦିରର ମରାମତି କାର୍ଯ୍ୟ ଚାଲୁ ରହିଛି । ଏହା ସହିତ ମନ୍ଦିରକୁ ଏକ ନୂତନ ସେତୁ ଦ୍ୱାରା ସଂଯୋଗ କରିବା ପାଇଁ ନଦୀର ଉଭୟ ପଟରୁ ଏକ ସେତୁର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ସେତୁଟି କାର୍ଯ୍ୟକ୍ଷମ ହେଲେ ବର୍ଷକଯାକ ପର୍ଯ୍ୟଟକମାନେ ଏହି ସ୍ଥାନକୁ ସହଜରେ ଆସିପାରିବେ ।

ପ୍ରତ୍ୟକବର୍ଷ ମକର ସଂକ୍ରାନ୍ତି ଅବସରରେ ଏଠାରେ ଏକ ମକରମେଳା ଆୟୋଜନ ହୁଏ ଯାହାକୁ କି ବଡ଼ମ୍ବାର ରାଜା ଆରମ୍ଭ କରିଥଲେ । ଏଥିପାଇଁ ଗୋପୀନାଥପୁର ପଟ ନଦୀକୂଳରୁ ନଦୀ ମଧ୍ୟସ୍ଥ ପୀଠସ୍ଥଳକୁ ଏକ ଅସ୍ଥାୟୀ ମୋରମ ରାସ୍ତା ନିର୍ମାଣ କରାଯାଏ । ଯଦ୍ୱାରା ମକର ସଂକ୍ରାନ୍ତି ଠାରୁ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଅନାୟାସ ରେ ଏହିପୀଠକୁ ଯିବା ଆସିବା କରି ପାରନ୍ତି । ମାତ୍ର ପ୍ରତ୍ୟେକ ବର୍ଷ ଚତୁର୍ମାସ୍ୟାରେ ମହାନଦୀର ବନ୍ୟା ଜଳରେ ଏହି ଅସ୍ଥାୟୀ ରାସ୍ତାଟି ଧୋଇ ଯାଏ । ଏହି ସମୟରେ ମନ୍ଦିରକୁ ଯିବା ଆସିବା ପ୍ରାୟ ବନ୍ଦ ରହେ ।

ଉପଯୁକ୍ତ ପ୍ରଚାର ପ୍ରସାର ହେଲେ ଏହି ସିଂହନାଥ ପୀଠଟି କଟକ ତଥା ଓଡ଼ିଶାର ଏକ ଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ର ରୂପେ ପରିଚୟ ପାଇବା ସହିତ କଟକକୁ ଗୌରବାନ୍ୱିତ କରିବ ଏଥିରେ ଦ୍ବିମତ ନାହିଁ ।

( ସଂଗୃହିତ)

Comments are closed.