ଆଜି ମାର୍ଗଶୀର ଶେଷ ଗୁରୁବାର: ମାଣ, ଗେଣ୍ଡୁ ଫୁଲର ଚାହିଦା

ବ୍ରହ୍ମପୁର: ମାର୍ଗଶୀର ମାସର ପବିତ୍ର ମାଣବସା ଗୁରୁବାରର ଚତୁର୍ଥ ପାଳି ଏବେ ଉପନୀତ। ଓଡ଼ିଆଙ୍କ ଆରାଧ୍ୟା ମା’ ମହାଲକ୍ଷ୍ମୀଙ୍କ ଅନ୍ୟତମ ଭବ୍ୟ ପୂଜା ପାଇଁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚଳଚଞ୍ଚଳ। ଘର ଆଗରେ ଗୋବର ଓ ଗେରୁ ଲିପା ହୋଇ ଝୋଟି ଦିଆ ସରିଛି। ସକାଳୁ ଉଠି ସ୍ନାନ କରି ଘରର ମହିଳାମାନେ ଦୀପ ପ୍ରଜ୍ଜ୍ୱଳନ କରି ଗେଣ୍ଡୁ ଫୁଲ ଥୋଇ ଧନଦାତ୍ରୀଙ୍କୁ ଭକ୍ତିଭାବନାରେ ସ୍ବାଗତ ଜଣାଇବେ। ଦେବୀ ଲକ୍ଷ୍ମୀଙ୍କ ପୂଜାରେ ମାଣ ବସାଇ ମହିଳାମାନେ ପୂଜାର୍ଚ୍ଚନା କରିଥାନ୍ତି। ମାଣରେ ଭରି ରଖାଯାଏ ଧାନ ଓ ନୂଆ ଚାଉଳ। ଚାଷୀ ତାର ପ୍ରଥମ ଅମଳ ବା ନୂଆ ଚାଉଳ ଦେବୀ ଅନ୍ନପୂର୍ଣ୍ଣାଙ୍କୁ ଅର୍ପଣ କରିଥାଏ। ଏହି ପୂଜା ଦୃଷ୍ଟିରୁ ବଜାରରେ ବାଉଁଶ ବେତରେ ନିର୍ମିତ ପାରମ୍ପରିକ ମାଣ ସାଙ୍ଗକୁ ପିତ୍ତଳରେ ନିର୍ମିତ ଆକର୍ଷଣୀୟ ଓ ମଜବୁତ ମାଣ ଏବଂ ଗେଣ୍ଡୁ ଫୁଲ, ଧାନ କେଣ୍ଡାର ଚାହିଦା ବେଶ୍ ବୃଦ୍ଧି ପାଇଥାଏ। ବଜାରରେ ଏସବୁ ସାମଗ୍ରୀର ବିକ୍ରିବଟା ଜୋର ଧରିଥାଏ।

ମାଣବସା ଗୁରୁବାର ପ୍ରତି ପାଳି ପୂର୍ବରୁ ରେଶମ ସହରର ବିଭିନ୍ନ ମୁଖ୍ୟ ଛକ ପାର୍ଶ୍ବବର୍ତ୍ତୀ ରାସ୍ତାକଡ଼ରେ ଦୁଇ ଦିନ ପୂର୍ବରୁ ଗ୍ରାମାଞ୍ଚଳରୁ ଆସିଥିବା ମହିଳା ପୁରୁଷଙ୍କ ବେତ ନିର୍ମିତ ମାଣ, ଗେଣ୍ଡୁ ଫୁଲ ଓ ଧାନ କେଣ୍ଡାର ପସରା ଦେଖିବାକୁ ମିଳେ। ତେବେ ଚତୁର୍ଥ ପାଳି ଯେଉଁଥିରେ ପ୍ରାୟତଃ ଘରେ ଘରେ ମା’ ଲକ୍ଷ୍ମୀଙ୍କ ପୂଜା ଉଦ୍‌ଯାପିତ ହୋଇଥାଏ ସେହି ଅବସରରେ ଏହାର ବିକ୍ରିବଟା ଅଧିକ ହୋଇଥାଏ। କମାପଲ୍ଲୀ ଛକ, ବିଜିପୁର ଛକ, ବିଜୁ ପଟ୍ଟନାୟକ ପାର୍କ ରୋଡ୍, ସୁବାରାଓ ଛକ, ପୁରୁଣା ବସଷ୍ଟାଣ୍ଡ, ପ୍ରେମନଗର, ବଡ଼ ବଜାର ଛକ, ଗିରି ମାର୍କେଟ୍‌ ଆଦି ସ୍ଥାନରେ ଏହାର ଖୋଲା ରାସ୍ତାକଡ଼ ବଜାର ବେଶ୍ ଜମିଥାଏ। ଲକ୍ଷ୍ମୀପୂଜାରେ ସ୍ଥାନ ପାଇଥାଏ ଗଉଣି, ଦି’ଅଡ଼ା, ଅଡ଼ା, ବୋଡ଼ା ଓ ସୋଲା ମାଣ। ପାରମ୍ପରିକ ମାଣ କିଆ ଗଛର ଚେରରୁ ତିଆରି ହୋଇଥାଏ। କାର୍ତ୍ତିକ ଓ ମାର୍ଗଶୀର ଦୁଇ ମାସ ଧରି ମାଣ ବିକ୍ରି କରିଥାନ୍ତି କାରିଗର। ବର୍ଷର ବଳକା ସମୟ ସେମାନେ ନିଜ ହାତରେ ମାଣ ତିଆରି କରିବାରେ ସମୟ ବିତାଇଥାନ୍ତି। ଅପରପକ୍ଷରେ ସମୟ ସହ ତାଳ ଦେଇ ଏବେ ପିତ୍ତଳରେ ତିଆରି ମାଣର ଚାହିଦା ବୃଦ୍ଧି ପାଉଛି l ପିତ୍ତଳ ମାଣ ଦର ଅଧିକ ହେଲେ ହେଁ ଲୋକେ ଅଧିକ ସଂଖ୍ୟାରେ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି।

ମାର୍ଗଶୀର ମାଣବସା ଗୁରୁବାର ଯୋଗୁଁ ଗେଣ୍ଡୁଫୁଲ କାରବାର ବୃଦ୍ଧି ପାଇଛି। ଦୋକାନ ସମେତ ରାସ୍ତାକଡ଼ରେ ଏହି ସମୟରେ ଗେଣ୍ଡୁ ଫୁଲର ପସରା ଦେଖିବା ସାଧାରଣ କଥା। ଜିଲ୍ଲାକୁ ବିଭିନ୍ନ କିସମର ଫୁଲ କୋଲକାତା, ଆନ୍ଧ୍ରପ୍ରଦେଶ ଏବଂ ବେଙ୍ଗାଲୁରୁରୁ ଆସୁଥିବା ବେଳେ କିନ୍ତୁ ଗେଣ୍ଡୁ ଫୁଲ ସ୍ଥାନୀୟ ଅଞ୍ଚଳର ଚାଷ ଜମିରୁ ଆସିଥାଏ। ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ଅନନ୍ତେଇ, ବନ୍ଥପଲ୍ଲୀ, ଶିକିରି, ଆସିକା, ଧରାକୋଟ, ଶେରଗଡ଼, ପଞ୍ଚମା ଅଞ୍ଚଳରୁ ଗେଣ୍ଡୁ ଓ ରଜନୀଗନ୍ଧା ବଜାରକୁ ଆସିଥାଏ। ଗୁରୁବାର ପାଳିରେ ବଜାରକୁ ପ୍ରାୟ ୧୫ କୁଇଣ୍ଟାଲ ଫୁଲ ବିକ୍ରି ପାଇଁ ଆସୁଥିବା କହନ୍ତି ହୋଲ୍‌ସେଲ୍‌ ଓ ଖୁଚୁରା ବ୍ୟବସାୟୀ ତଥା ଫୁଲ ଚାଷୀ। କୋଲକାତା ଓ ଆନ୍ଧ୍ରରୁ ମଧ୍ୟ ଟ୍ରେନ୍, ଟ୍ରକ୍ ଯୋଗେ ଗେଣ୍ଡୁ ବଜାରକୁ ଆସିଥାଏ। ତେବେ ମାର୍ଗଶୀର ମାସ ପାଇଁ ଖୁଚୁରା ଫୁଲ ବ୍ୟବସାୟୀଙ୍କୁ ପ୍ରଥମ ପସନ୍ଦ କରିଥାନ୍ତି କ୍ରେତା ଓ ଭକ୍ତ। ନଭେମ୍ବର ଏବଂ ଡିସେମ୍ବରରେ ଜିଲ୍ଲାରେ ଅଧିକ ଗେଣ୍ଡୁ ଫୁଲ ଆଦାୟ ହେଉଥିବା ବେଳେ ଏହି ସମୟରେ ପଡୁଥିବା ମାଣବସା ଗୁରୁବାର ପାଳି ସେମାନଙ୍କୁ କାରବାର ପାଇଁ ବେଶ୍ ସୁହାଇଥାଏ।

ଏଥିସହ ଫଳ, ଚେର, କଦଳୀ ପତ୍ର , ଆମ୍ବ ଡାଳ ଆଦି ପୂଜାରେ ବ୍ୟବହୃତ ସାମଗ୍ରୀର ବିକ୍ରିବଟା ମଧ୍ୟ ମାଣବସା ଗୁରୁବାର ପାଳିରେ ଅଧିକ ହୋଇଥାଏ। ଘରେ ଘରେ ଲକ୍ଷ୍ମୀ ପୁରାଣ ପାଠ ଓ ଟିଭି, ଅଡିଓ ଯୋଗେ ଶୁଣିବାକୁ ମିଳିଥାଏ ଯାହା ଏକ ଆଧ୍ୟାତ୍ମିକ ଭାବନା ମନରେ ଜାଗ୍ରତ କରିଥାଏ। ବିଶେଷ କରି ଓଡ଼ିଆଙ୍କ ଜନଜୀବନରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପତ୍ନୀ ମା’ ଲକ୍ଷ୍ମୀଙ୍କ ପୂଜା ବେଶ୍ ମହତ୍ତ୍ଵ ରଖୁଥିବା ବେଳେ ଆଧ୍ୟାତ୍ମିକ ଭାବନା ସାଙ୍ଗକୁ ବଜାରରେ ବ୍ୟବସାୟିକ ଦିଗ ମଧ୍ୟ ଗୁରୁତ୍ବ ରଖିଥାଏ।

Comments are closed.