କିଏ ଜିତିବ ପଦ୍ମପୁର , ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି , ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବା ସମ୍ଭାବନା

ଭୁବନେଶ୍ୱର – ଆଜି ପଦ୍ମପୁର ଭୋଟ ଗଣତି । ଆଜି ଆସିବ ଫଳାଫଳ । ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ କାହାକୁ ଜୟଯୁକ୍ତ କରିଛନ୍ତି ଭୋଟର । ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଗତ ୫ ତାରିଖରେ ହୋଇଥିବା ମତଦାନର ଗଣତି ଆଉ କିଛି ସମୟ ପରେ ଆରମ୍ଭ ହେବ । ସକାଳ ୮ରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ ଗଣତି । ଏହାପରେ ସାଢେ ୮ରୁ ଲଗାତର ଭାବେ ଇଭିଏମ କାଉଣ୍ଟିଂ କରାଯିବ । ମୋଟ ୩୧୯ ବୁଥ ପାଇଁ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ଏହାସହ ରିଟର୍ଣ୍ଣିଂ ଅଫିସରଙ୍କ ଗୋଟିଏ ଟେବୁଲ ରହିବ । ୫ଟି ବୁଥର ହେବ ଭିଭିପାଟ୍ ଗଣତି । ଗଣତି କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ତରଫରୁ ଜେନେରାଲ ଅବଜରଭର ନିଯୁକ୍ତ ଅଛନ୍ତି । ସମସ୍ତ ଗଣତି ପ୍ରକ୍ରିୟାକୁ ସେ ତଦାରଖ କରିବେ । ସେହିପରି ଦୁଇଜଣ ଟେକନିକାଲ ଅବଜରଭର ମଧ୍ୟ ଅଛନ୍ତି । ଇଭିଏମରେ କୌଣସି ତ୍ରୁଟି ହେଲେ ସେ ସଙ୍ଗେସଙ୍ଗେ ବ୍ୟବସ୍ଥା କରିବେ । ସେହିପରି ପ୍ରତି ପ୍ରାର୍ଥୀଙ୍କର କାଉଣ୍ଟିଂ ଏଜେଣ୍ଟ ମଧ୍ୟ ଇସିଆଇ ପ୍ରଦତ୍ତ ନିଯୁକ୍ତି ପତ୍ର ଧରି ଉପସ୍ଥିତ ରହିବେ ।

ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଆରପିଏଫ୍, ରାଜ୍ୟ ସଶସ୍ତ୍ର ବାହିନୀ ଓ ରାଜ୍ୟ ପୋଲିସ ମୁତୟନ ହୋଇଛନ୍ତି । ଗଣତି କେନ୍ଦ୍ର ଆଗରେ ଗଣମାଧ୍ୟମର ସୁବିଧା ପାଇଁ ବ୍ୟବସ୍ଥା ହୋଇଛି । ଭୁବନେଶ୍ବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଗଣମାଧ୍ୟମ ପାଇଁ ଫଳାଫଳ ଜାଣିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ତିନି ବର୍ଷ ମଧ୍ୟରେ ଦ୍ଵିତୀୟ ଥର ପାଇଁ ପଦ୍ମପୁର ଆସନରେ ନିର୍ବାଚନ ହୋଇଛି । ଗତ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ଏଥର ରେକର୍ଡ ୮୨ ପ୍ରତିଶତରୁ ଅଧିକ ମତଦାନ ହୋଇଛି।

ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଙ୍କ ସହ ମୋଟ ୧୦ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି। ବିଜେଡିର ବର୍ଷା ସିଂହ ବରିହା, ବିଜେପିର ପ୍ରଦୀପ ପୁରୋହିତ ଓ କଂଗ୍ରେସର ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହୋଇଛି । ସ୍ୱର୍ଗତ ବିଧାୟକଙ୍କ ଝିଅ ବର୍ଷାଙ୍କୁ ଟିକେଟ ଦେଇଛି ବିଜେଡି ।

Comments are closed.