ଆଜି ଆସିବ ଗୁଜରାଟ, ହିମାଚଳ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏବେ ଫଳାଫଳ ଉପରେ ସମସ୍ତଙ୍କ ନଜର । ଏହି ଦୁଇ ରାଜ୍ୟର ନିର୍ବାଚନ ରେଜଲ୍ଟ ଆଜି ଆସିବ । ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ ସୁଦ୍ଧା ଚିତ୍ର ପୂରା ସ୍ପଷ୍ଟ ହୋଇଯିବ |

ଡିସେମ୍ବର ୧ ଓ ୫ରେ ଗୁଜରାଟରେ ମୋଟ ୧୮୨ ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଗୁଜରାଟରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୯୨ ‌।

ବିଜେପି ଗତ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ଅଛି । ଯଦି ଏକଜିଟ୍ ପୋଲକୁ ବିଶ୍ୱାସ କରାଯାଏ ତେବେ ରାଜ୍ୟରେ ବିଜେପି ଲଗାତାର ସପ୍ତମ ଥର ସରକାର ଗଢ଼ିବା ସମ୍ଭାବନା ରହିଛି।

ଅଧିକାଂଶ ଏକଜିଟ୍ ପୋଲର ପୂର୍ବାନୁମାନ ଅନୁଯାୟୀ ବିଜେପି ଗୁଜରାଟରେ ସହଜରେ ବହୁମତ ହାସଲ କରିବ । ଦଳ ୧୧୭ ରୁ ୧୫୧ ସିଟ୍ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି ।

ଯଦିଓ ଏକଜିଟ୍ ପୋଲ୍ ସବୁ ଥର ସଠିକ୍ ହୋଇନଥାଏ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଜ୍ୟ ଗୁଜରାଟରେ ବିଜେପି ପାରମ୍ପାରିକ ଭାବେ ମଜବୁତ୍ ସ୍ଥିତିରେ ରହିଆସିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଗୁଜରାଟରେ ମୁଖ୍ୟ ପ୍ରତିଯୋଗିତା କେବଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଆସିଛି ।

୨୦୧୭ ନିର୍ବାଚନରେ ​​ବିଜେପି ୯୯ଟି ଆସନ ଜିତିଥିଲା ​​ଏବଂ ପୂର୍ବ ନିର୍ବାଚନ ତୁଳନାରେ ୧୬ଟି ସିଟ୍ ହରାଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ୭୭ଟି ଆସନ ଜିତିଥିଲା ​​ବେଳେ ଗତଥର ଅପେକ୍ଷା ୧୬ଟି ସିଟ୍ ଅଧିକ ହାସଲ କରିଥିଲା।

କିନ୍ତୁ ଏଥର ଆମ୍ ଆଦମୀ ପାର୍ଟି ମଧ୍ୟ ମଇଦାନକୁ ଓହ୍ଲାଇଥିଲା । ଦଳ ଦିଲ୍ଲୀ ଏବଂ ପଞ୍ଜାବରେ କଂଗ୍ରେସ ଠାରୁ କ୍ଷମତା ଛଡ଼ଇ। ଆଣିବାରେ ସଫଳ ହୋଇଛି । ଗୁଜରାଟରେ ମଧ୍ୟ ଦଳ ଆଖି ଦୃଶିଆ ଆସନ ପାଇବ ବୋଲି ଆଶା ରଖିଛି ।

ଗୁଜରାଟ ସହ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ରେଜଲ୍ଟ ଆଜି ଘୋଷଣା ହେବ । ହିମାଚଳ ପ୍ରଦେଶର ୬୮ ଟି ବିଧାନସଭା ଆସନ ପାଇଁ ନଭେମ୍ବର ୧୨ରେ ମତଦାନ ଅନୁଷ୍ଠିତ ହୋଇଥିଲା । ଏଥର ମଧ୍ୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା। ୨୦୧୭ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ହିମାଚଳ ବିଧାନସଭାର ୬୮ ଟି ସିଟ୍ ମଧ୍ୟରୁ ବିଜେପି ୪୪ ଟି ସିଟ୍ ଜିତିଥିଲା । କଂଗ୍ରେସ ୨୧ଟି ଆସନ ପାଇଥିଲା। ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ ଅନୁସାରେ ହିମାଚଳରେ ଏଥର କଡ଼ା ମୁକାବିଲା ଦେଖିବାକୁ ମିଳିବ ।

Comments are closed.