ଭିଏସ୍ଏସ୍ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଅବସରରେ କଳାକାର ସମାବେଶ

ସମ୍ବଲପୁର: ସମ୍ବଲପୁରର ଆରଣ୍ୟକ ମଂଚରେ ଚାଲୁଥିବା ୨୫ତମ ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତାର ଆଜି ଅନ୍ତିମ ଦିନ ପ୍ରତିଥର ଭଳି କଳାକାର ସମାବେଶ ଅନୁଷ୍ଟିତ ହୋଇଯାଇଛି। ବିଶିଷ୍ଟ ନାଟ୍ୟପ୍ରତିଭା ଡ.ଶ୍ୟାମସୁନ୍ଦର ଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଆଲୋଚକ ଭାବରେ ନାଟ୍ୟବିତ ଡ. ଦ୍ୱାରିକାନାଥ ନାୟକ ଯୋଗଦେଇ ନାଟକ ସହ ଯୁବଉଦୟନ ଅନୁଷ୍ଠାନର ସଂପୃକ୍ତି ଏବଂ ସମ୍ବଲପୁରୀ ମଂଚ ନାଟକର ଆରମ୍ଭ ଓ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସମ୍ବଲପୁରରେ ବିଭିନ୍ନ ନାଟ୍ୟ ସଂସ୍ଥା ଗୁଡିକର ଅଭ୍ୟୁଦୟ ଓ ସମ୍ବଲପୁରୀ ନାଟକର ବିକାଶ ଉପରେ ବିସ୍ମୃତ ଆଲୋଚନା କରି କହିଥିଲେ ଯେ, ଯୁବଉଦୟନ ପକ୍ଷରୁ ଏହି ପ୍ରତିଯୋଗିତା ଆରମ୍ଭ ହେବା ପରେ ଶତାଧିକ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ସୃଷ୍ଟି ହୋଇପାରିଛନ୍ତି ତଥା ଏହି ପ୍ରତିଯୋଗିତା ଏକ ସହସ୍ରରୁ ଊର୍ଦ୍ଧ୍ୱ କଳାକାରଙ୍କୁ ସୃଷ୍ଟି କରିବାରେ ମଧ୍ୟ ସକ୍ଷମ ହୋଇ ପାରିଛି। ବର୍ତ୍ତମାନ ନୂଆଁ ଧାରା ନେଇ ଏହି ପ୍ରତିଯୋଗିତାକୁ ଆଗକୁ ନେବାର ସମୟ ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ସଭାରେ ଚଳିତ ପ୍ରତିଯୋଗିତାର ତିନି ଜଣ ବିଚାରକଙ୍କ ମଧ୍ୟରୁ ପଦ୍ମଲୋଚନ ଦାଶ ଏବଂ ଶିବଲାଲ ସାଗର ଯୋଗଦେଇ ପ୍ରଦର୍ଶିତ ନାଟକର ତୃଟି ବିଚ୍ୟୁତି ଆଦି ଦିଗ ଉପରେ ଆଲୋଚନା କରିବା ସହ ମଂଚ ନାଟକର ବ୍ୟାକରଣ ଓ ଏହାର ଭିନ୍ନ ଭିନ୍ନ ବିଭାବ ଉପରେ ଆଲୋଚନା କରିଥିଲେ। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.