ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର – ରାଜଧାନୀରେ ମହିଳା ଏସଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସହିଦନଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ସମସ୍ତ ଆନନ୍ଦ ବଜାର ଅଞ୍ଚଳର ଓ ପେଶାରେ ଡ୍ରାଇଭର ବୋଲି ପୋଲିସ କହିଛି । ନିଶାଶକ୍ତ ଅବସ୍ଥାରେ ମହିଳା ଏସଆଇଙ୍କୁ ସେମାନେ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡିଛି ।

ଜାନୁଆରୀ ପହିଲା ରାତିରେ ମହିଳା ଥାନା ପୋଲିସ୍ ଏସ୍‌ଆଇ ଶୁଭଶ୍ରୀ ନାୟକ ଥାନାରୁ ଡ୍ୟୁଟି ସାରି କାର୍‌ରେ ଘରକୁ ଫେରୁଥିଲେ । ଆଚାର୍ଯ୍ୟବିହାର ନିକଟ ସାଇନ୍ସ ପାର୍କ ପାଖରେ ସାମ୍ନାପଟୁ ଆସୁଥିବା ଏକ ଇନୋଭା କାର୍‌ ଅଚାନକ ତାଙ୍କ କାର୍‌ ସାମ୍ନାକୁ ମାଡ଼ିଆସିଥିଲା । ଭୟରେ ନିଜ କାର୍‌କୁ ରାସ୍ତା କଡ଼କୁ ନେଇଯାଇଥିଲେ ଶୁଭଶ୍ରୀ। ଏହି ସମୟରେ ଦୁର୍ବୃତ୍ତମାନେ ଇନୋଭାରୁ ବାହାରି ହାତରେ ଖଣ୍ଡା ଧରି ତାଙ୍କ ଆଡ଼କୁ ଆସିଥିଲେ । କାର୍‌ରେ ବସିବେ କ’ଣ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଦେଖି ଭୟରେ ସେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଆଡ଼କୁ କାର୍‌ ନେଇଯାଇଥିଲେ ।

ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ସାଇନ୍ସ ପାର୍କ ଗଳି ଆଡ଼କୁ ଯାଇଥିଲେ । ଶୁଭଶ୍ରୀଙ୍କୁ ଅସଭ୍ୟ ଭାଷାରେ ସେ ଗାଳିଗୁଲଜ କରିଥିଲେ । ଶୁଭଶ୍ରୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ।

Comments are closed.