ରେକର୍ଡ ୧୫ ମାସରେ ବିଶାଳ ଷ୍ଟାଡିୟମ୍ ନିର୍ମାଣ: ଆଶ୍ଚର୍ଯ୍ୟକୁ ବାସ୍ତବରେ ପରିଣତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଲେଖକ: ପ୍ରତିଭା ନେପାକ

ଭୁବନେଶ୍ୱର: ବିଶ୍ଵ ହକିର ମହାକୁମ୍ଭ ରାଉରକେଲା ଓ ଭୁବନେଶ୍ବର ଠାରେ ଖେଳାଯିବ। ଅନ୍ତର୍ଜାତୀୟ ହକି ଖେଳର ଏହି ୧୫ତମ ସଂସ୍କରଣରେ ଭାଗ ନେବେ ୫ଟି ମହାଦେଶର ୧୬ଟି ଦେଶ। ବିଶ୍ୱ ହକିର ଉଜ୍ଜ୍ଵଳ ତାରକା, ଦକ୍ଷ ପ୍ରତିଭାଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ବିଜେତା ଦଳ ନିଜ ସଫଳ ପ୍ରଦର୍ଶନର ପୁନରାବୃତ୍ତି କରିବେ ନା କୌଣସି ନୂଆ ଦଳ ବାଜିମାତ୍ କରିବ, ଏହାକୁ ନେଇ ଚାରିଆଡ଼େ ଉତ୍କଣ୍ଠା ଓ ଉତ୍ସାହ। ହେଲେ ଏହି ଆୟୋଜନକୁ ସଫଳ କରିବା ପଛରେ ଆରମ୍ଭରୁ ଯେଉଁ ପରିଶ୍ରମ, ଯେଉଁ ନିଷ୍ଠା ପରିଲକ୍ଷିତ ହୋଇଛି ତାହା ସମସ୍ତଙ୍କୁ ଚମତ୍କୃତ କରିବାରେ ଲାଗିଛି। ସେଥିପାଇଁ ତ ଏବେ ଗର୍ବ କରିବାର, ଗୌରବାନ୍ବିତ ହେବାର ବେଳ ଉପନୀତ। ଆଉ ସେହି ଶ୍ରେଷ୍ଠ ବିନ୍ଧାଣୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ (୫-ଟି) ସଚିବ ଭି.କେ.ପାଣ୍ଡିଆନ୍। ଦୁହିଁଙ୍କ ମଜବୁତ ନେତୃତ୍ବ, ଅନବରତ ପ୍ରୟାସ ଫଳରେ ମାତ୍ର ୧୫ ମାସ ମଧ୍ୟରେ ରାଉରକେଲା ଠାରେ ପ୍ରସ୍ତୁତ ହୋଇପାରିଛି ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକ କ୍ଷମତାବିଶିଷ୍ଟ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍। କଟକ ବାରବାଟୀ ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରେ ରାଜ୍ୟ ରାଜଧାନୀ ବ୍ୟତୀତ ଅନ୍ୟ ଏକ ସ୍ଥାନରେ ଗଢ଼ି ଉଠିଛି ଏହି ଅନ୍ତର୍ଜାତୀୟ ଷ୍ଟାଡିୟମ୍ ଯେଉଁ ସ୍ଥାନ କି ରାଜ୍ୟ ତଥା ଦେଶର ହକି ଖେଳକୁ ଅନେକ ଦିନରୁ ନିଜର ଶ୍ରେଷ୍ଠ ଅବଦାନ ଦେଇ ଆସୁଛି।

୨୦୨୧ ଫେବ୍ରୁଆରୀ ମାସ ୧୬ ତାରିଖ। ରାଉରକେଲାରେ ହକି ବିଶ୍ୱକପ୍ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇ ଥିଲା। ସମସ୍ତଙ୍କ ମନରେ ଭରି ଯାଇଥିଲା ପ୍ରବଳ ଉତ୍ସାହ, ଉଦ୍ଦୀପନା। ପୁଣି ଥରେ ଓଡ଼ିଶା ଆୟୋଜନ କରିବ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା। ସେହିଦିନ ବିପିୟୁଟି ପରିସରରେ ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିୟମ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ହେଲେ ଆରମ୍ଭରୁ ବାଧକ ସାଜିଥିଲା କରୋନା ମହାମାରୀ। ଚ୍ୟାଲେଞ୍ଜ ପାଲଟିଲା ହାତରୁ ଖସି ଖସି ଯାଉଥିବା ସମୟ। ନିର୍ଦ୍ଧାରିତ ସମୟ ସୁଦ୍ଧା ଷ୍ଟାଡିୟମ୍ ନିର୍ମାଣ କରି ହକି ବିଶ୍ବ କପ୍ ଆୟୋଜନ ସୃଷ୍ଟି କରିଥିଲା ଆହ୍ବାନ। ହେଲେ ଯିଏ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନିଜ ରାଜ୍ୟକୁ ଚାମ୍ପିଅନ୍ କରାଇଛନ୍ତି, ନାରୀ ସଶକ୍ତୀକରଣର ଅଗ୍ରଧ୍ଵଜାଧାରୀ ହୋଇପାରିଛନ୍ତି, ରାଜ୍ୟକୁ କ୍ରୀଡ଼ାର ରାଜଧାନୀ କରାଇବାରେ ଯାହାଙ୍କ ପ୍ରେରଣା ଓ ନେତୃତ୍ବ ଅଦ୍ୱିତୀୟ ତାଙ୍କ ପାଇଁ ଏହି ଚ୍ୟାଲେଞ୍ଜ ମଧ୍ୟ ଥିଲା ଏକ କର୍ମଯୋଗୀର ପରାକାଷ୍ଠାର ପରୀକ୍ଷା ସଦୃଶ। ଆଉ ସେ ସାରା ବିଶ୍ଵକୁ ଦେଖାଇଦେଲେ କି ଓଡ଼ିଶା ମାଟି କଣ କରିପାରେ, ସାଢ଼େ ୪ କୋଟି ଓଡ଼ିଆଙ୍କ ନେତୃତ୍ବ ନେଉଥିବା ବ୍ୟକ୍ତି ଆଶ୍ଚର୍ଯ୍ୟ ମନେ ହେଉଥିବା କାର୍ଯ୍ୟକୁ ବାସ୍ତବତାରେ ପରିଣତ କରି ଦେଖାଇବାର ଏକ ଅନନ୍ୟ ନଜିର ସମସ୍ତଙ୍କ ଆଗରେ ଥୋଇଦେଲେ। ପ୍ରାୟ ୯ ମାସ ବିଳମ୍ବରେ ଆରମ୍ଭ ହୋଇଥିଲା ପ୍ରକୃତ ନିର୍ମାଣ କାର୍ଯ୍ୟ। ଅଥଚ ମାତ୍ର ୧୫ ମାସର ରେକର୍ଡ ସମୟ ମଧ୍ୟରେ ଏକ ବଡ଼ ଷ୍ଟାଡିୟମ୍‌କୁ ସୁସଜ୍ଜିତ କରି ଗଢ଼ି ତୋଳିଦେଲେ। ଅଂଶଗ୍ରହଣକାରୀ ଦେଶର ଟିମ୍ ପହଞ୍ଚିବା ବେଳକୁ ଉଦ୍‌ଘାଟନ ହୋଇଥିଲା ଦେଶର ବୃହତ୍ ହକି ଷ୍ଟାଡିୟମ୍।

୨୬୧ କୋଟି ଟଙ୍କା ବ୍ୟୟରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟରେ ଏକ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ନିୟୋଜିତ ଥିଲେ। ବ୍ୟବହୃତ ହୋଇଥିଲା ୪ ହଜାର ଟନ୍ ଟିଏମଟି ଷ୍ଟିଲ୍ ଓ ୩୬୦୦ ଟନ୍‌ ଷ୍ଟ୍ରକ୍‌ଚରାଲ୍ ଷ୍ଟିଲ୍‌। ଏଥିସହ ଅତ୍ୟାଧୁନିକ ସୁବିଧା ସୁଯୋଗ ସମ୍ପନ୍ନ ୨୨୫ଟି କୋଠରୀ ଥିବା ବିଶ୍ୱ କପ୍ ଗ୍ରାମ ମଧ୍ୟ ମାତ୍ର ୯ ମାସରେ ନିର୍ମାଣ ସରିଲା। ମାତ୍ର ୧୫ ମାସ ମଧ୍ୟରେ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରିବା ଏତେ ସହଜ ନଥିଲା। ତଥାପି ତାହାକୁ ସତ୍ୟରେ ପରିଣତ କରିପାରିଲେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ। ଯେତେ କଷ୍ଟକର ହେଉ ପଛେ ଆହ୍ବାନର ସମ୍ମୁଖୀନ ହୋଇ ତାକୁ ସଫଳତାର ସହ ପାର୍ କରି ବିଜେତା ସାଜିବାର ଏକ ଅନନ୍ୟ ଉଦାହରଣ ସମସ୍ତଙ୍କ ଆଗରେ ଥୋଇଦେଲେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ। ନିଷ୍ଠାପର ଓ ସାମୂହିକ ପ୍ରୟାସ, ଯୋଜନାବଦ୍ଧ କାର୍ଯ୍ୟ, ଆହ୍ବାନକୁ ସାମନା କରି ସଫଳତା ହାସଲ କରିବାର ଜବରଦସ୍ତ ଆଭିମୁଖ୍ୟ, ବାଧ୍ୟ କଲା ଚ୍ୟାଲେଞ୍ଜକୁ ଯେ ହାର୍ ମାନିବ। ଆଉ ତାହା ହିଁ ହେଲା। ରେକର୍ଡ ସମୟରେ ନିର୍ମାଣ ସରି ଲୋକାର୍ପିତ ହେଲା।

ଖୋଦ୍ ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ କହିବା ପ୍ରକାରେ “ଏତେ ବଡ଼ ଷ୍ଟାଡିୟମ୍, ତା ପୁଣି ମାତ୍ର ୧୫ ମାସରେ। ହେଲେ ଏହି ଆଶ୍ଚର୍ଯ୍ୟକୁ ଓଡ଼ିଶା ସତ କରିକି ଦେଖାଇଲା। ମାନ୍ୟବର ମୁଖ୍ୟମନ୍ତ୍ରୀ କରିକି ଦେଖାଇଲେ। ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ନିଶ୍ଚିତ”। ପ୍ରକୃତରେ ଏତେ କମ୍ ସମୟ ମଧ୍ୟରେ ଏତେ ବଡ଼ ଷ୍ଟାଡିୟମ୍ ସୁନ୍ଦର ଓ ମଜବୁତ୍ ଭାବେ ନିର୍ମାଣ କରି ଠିଆ କରାଇବା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ସେହି କାର୍ଯ୍ୟକୁ କରି ଦେଖାଇଛନ୍ତି ଓଡ଼ିଶାର ନେତୃତ୍ବ। ଇଏ ନବୀନ ଓଡ଼ିଶା, ଜିତୁଛି ସଭିଙ୍କ ଭରସା। ସେପଟେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଉତ୍ସବର କହିଛନ୍ତି “ହକିର ସ୍ଵର୍ଣ୍ଣକ୍ଷେତ୍ର ସୁନ୍ଦରଗଡ଼ରେ ବିଶ୍ଵର ସବୁଠାରୁ ବଡ଼ ଷ୍ଟାଡିଅମ୍ ଏବେ ବିଶ୍ଵ କ୍ରୀଡ଼ା ଇତିହାସରେ ଓଡ଼ିଶା ମାଟିର ଗୌରବ ଗାନ କରୁଛି। ବିଶ୍ଵ କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ସ୍ଵର୍ଣିମ ଅଧ୍ୟାୟ। ଏହି ବିଶାଳ ଷ୍ଟାଡିଅମ୍ ଓଡ଼ିଶା ମାଟିର ଗୌରବ ଗାନ କରୁଛି ଯାହା ସାରା ବିଶ୍ୱ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇ ରହିବ। ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବା ଉଦ୍ୟମର ଏହା ପ୍ରତିଫଳନ। ଦେଶର କ୍ରୀଡ଼ା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିଅମ୍ ଓଡ଼ିଶାର ଛବିକୁ ଆହୁରି ଉଜ୍ଜଳ କରିଛି”।

ସାରା ଓଡିଶା ଆନନ୍ଦିତ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଉରକେଲା ଠାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ୍‌କୁ ହକିକୁ ଭଲ ପାଉଥିବା ସମସ୍ତ ଲୋକ, ଖେଳାଳୀ, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ହେଲେ ନିଜକୁ ନୁହେଁ, ଏହି ସଫଳତା ସକାଶେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ତଥା ଭଲ ପାଇବାକୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଷ୍ଟାଡିୟମ୍ ଭାରତୀୟ ହକିର ଏନ୍ତୁଡ଼ିଶାଳ ହୋଇ ରହିବ ବୋଲି ଲୋକାର୍ପଣ ଉତ୍ସବରେ ଆଶାବ୍ୟକ୍ତ କରିଛନ୍ତି ସେ। ଷ୍ଟାଡିୟମ୍ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।

Comments are closed.