ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି: ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଜିଲ୍ଲାରେ ଜିଲ୍ଲାପାଳ କରିବେ ଜାତୀୟ ପତାକା ଉତ୍ତୋଳନ 

ଭୁବନେଶ୍ୱର – ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେଉଁ ମନ୍ତ୍ରୀ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ, ତାହାର ତାଲିକା ଜାରି କରାଯାଇଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡର ଅଭିବାଦନ ଗ୍ରହଣ କରିବେ । ୨୦ ଜଣ ମନ୍ତ୍ରୀ ସେମାନଙ୍କୁ ଆଂବଟିତ ଜିଲ୍ଲା ଏବଂ ୧୦ ଜଣ ଜିଲ୍ଲାପାଳ ନିଜ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଓ ପରେଡ ଗାନ୍ଧି ମାର୍ଗରେ ଆୟୋଜିତ ହେବ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପରେଡର ଅଭିବାଦନ ଗ୍ରହଣ କରିବେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହେବେ । ରାଜ୍ୟ ମୁଖ୍ୟ ସଚିବ, ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି ସମାରୋହରେ ଉପସ୍ଥିତ ରହିବେ ।

ଅନ୍ୟପକ୍ଷରେ ୨୦ଟି ଜିଲ୍ଲାରେ ମନ୍ତ୍ରୀ, ୧୦ଟି ଜିଲ୍ଲାରେ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି ପତାକା ଉତ୍ତୋଳନ କରିବେ । ମନ୍ତ୍ରୀ ନିରଞ୍ଜନ ପୂଜାରୀ-କଟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ଗଞ୍ଜାମ, ଅତନୁ ସବ୍ୟସାଚୀ ନାୟକ-ଢେଙ୍କାନାଳ, ନବ କିଶୋର ଦାସ-କଳାହାଣ୍ଡି, ଜଗନ୍ନାଥ ସାରକା-ଗଜପତି, ପ୍ରଦୀପ ଅମାତ-ସୋନପୁର, ପ୍ରମିଳା ମଲ୍ଲିକ-ଜଗତସିଂହପୁର, ଉଷା ଦେବୀ-କେନ୍ଦୁଝର, ପ୍ରଫୁଲ୍ଲ ମଲ୍ଲିକ-କେନ୍ଦ୍ରାପଡ଼ା, ପ୍ରତାପ ଦେବ-ପୁରୀ, ଟୁକୁନି ସାହୁ-ମାଲକାନଗିରି, ଅଶୋକ ପଣ୍ଡା-ମୟୂରଭଞ୍ଜ, ରାଜେନ୍ଦ୍ର ଢ଼ୋଲକିଆ-ବରଗଡ଼, ସମୀର ରଞ୍ଜନ ଦାଶ-ବାଲେଶ୍ୱର, ଶ୍ରୀକାନ୍ତ ସାହୁ-କନ୍ଧମାଳ, ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼, ରୀତା ସାହୁ-ସମ୍ବଲପୁର, ବାସନ୍ତୀ ହେମ୍ବ୍ରମ-ଦେବଗଡ଼, ତୁଷାରକାନ୍ତି ବେହେରା-କୋରାପୁଟ ଓ ରୋହିତ ପୂଜାରୀ-ବଲାଙ୍ଗିରରେ ପତାକା ଉତ୍ତୋଳନ କରିବେ । ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ଓ ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବେ ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ୨୨ ଓ ୨୩ତାରିଖ ଅପରାହ୍ନ ୨ଟାରୁ ସାଢ଼େ ୫ଟା ଏବଂ ୨୪ ତାରିଖ ସକାଳ ୭ଟାରୁ ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ପରେଡ ରିହର୍ସଲ ଅନୁଷ୍ଠିତ ହେବ ।

Comments are closed.