ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର – ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲା ପରେ କ୍ରାଇମବ୍ରାଞ୍ଚକ ଏକ ଟିମ୍ ଗଠନ କରିଛି। ଜଣେ ଡିଏସ୍‌ପିଙ୍କ ତଦନ୍ତ ଟିମ୍ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିଛି । ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିବା ମାତ୍ରେ କ୍ରାଇମବ୍ରାଞ୍ଚ ଟିମ୍ ଗଠନ କରିଛି। କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଜଣେ ପୋଲିସ୍ ଏଏସ୍‌ଆଇ ଗୁଳିମାଡ଼ କରିଛନ୍ତି। ତାଙ୍କ ନାଁ ଗୋପାଳ ଦାସ। ସେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ୍ ଆଉଟ୍‌ପୋଷ୍ଟରେ ନିଯୁକ୍ତ ହୋଇଥିଲେ। ତେବେ ସେ କାହିଁକି ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଲେ ତାହା ଜଣାପଡ଼ିନାହିଁ।

ମନ୍ତ୍ରୀଙ୍କର ଛାତିରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ସେଥିପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଛି। ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

Comments are closed.