ପଦୋନ୍ନତି ଅଦାଲତର ସମୀକ୍ଷା ବୈଠକ: ନିୟମର ସରଳିକରଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵାରୋପ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ସମୟୋଚିତ ପଦୋନ୍ନତି ଦେବା ନିମନ୍ତେ ଚଳିତ ମାସ ପହିଲାରୁ ତିନି ଦିନ ଧରି ପଦୋନ୍ନତି ଅଦାଲତ ଅନୁଷ୍ଠିତ ହୋଇଥିଲା । ଶୁଣାଣି ବେଳେ ମିଳିଥିବା ଆପତ୍ତି ଅଭିଯୋଗ ସଂପର୍କିତ ବିଭିନ୍ନ ତଥ୍ୟକୁ ଭିତ୍ତି କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ନିମନ୍ତେ ଥିବା ନୀୟମର ସରଳିକରଣ, କ୍ୟାଡର ନୀୟମରେ ଯଥାର୍ଥତା ଅବଲମ୍ବନ ଏବଂ ଗୋପନୀୟ ପଞ୍ଜିକାର ସଠିକ ବିବେଚନା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଏଥି ସହ ପଦୋନ୍ନତି ନିମନ୍ତେ ଅଧିକାରୀଙ୍କ ବିରୁଦ୍ଧରେ ଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଫଳାଫଳ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ସୂଚନା ଯୋଗ୍ୟ, ନିକଟରେ ଅନୁଷ୍ଠିତ ପଦୋନ୍ନତି ଅଦାଲତରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଠାରୁ ୧୨୪୧ ଆବେଦନପତ୍ର ଗ୍ରହଣ କରାଯାଇଥିବା ବେଳେ ୧୦୨୧ ଜଣଙ୍କ ଆବେଦନାର ଶୁଣାଣି କରାଯାଇ ସେଥି ମଧ୍ୟରୁ ୭୮୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଥିଲା । ଏହି ପଦୋନ୍ନତି ଅଦାଲତରେ ୬ ଜଣ ଅତିରିକ୍ତ ଶାସନ ସଚିବ ଡ଼ଃ ନିକୁଞ୍ଜ କିଶୋର ସୁନ୍ଦରାୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ରାଜ କୁମାର ଶର୍ମା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ଦେଓ ରଂଜନ ସିଂ କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷ, ଡ଼ଃ ମୋନା ଶର୍ମା ଇଡକୋ ସମ୍ମିଳନୀ କକ୍ଷ, ଅନୁ ଗର୍ଗ କୃଷି ଭବନ ଅଡିଟୋରିୟମ ଏବଂ ସତ୍ୟବ୍ରତ ସାହୁ ଏସ୍ଆଇଆରଡି ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ ।

ଆଜିର ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.