ନିର୍ବାଚନ ଆସିଲେ ପ୍ରତିଶ୍ରୁତି ଦିଏ ବିଜେପି, କିନ୍ତୁ ଫଳ ଘୋଷଣା ହେଲେ ଭୁଲିଯାଏ: ବିଜେଡି 

ଭୁବନେଶ୍ୱର – ରାଜ୍ୟ ବିଜେପି କେବଳ ପ୍ରତିଶ୍ରୁତି ଦିଏ, କିନ୍ତୁ ପୂରଣ କରେନି । ନିର୍ବାଚନ ବେଳେ ରାଜ୍ୟ ବିଜେପି ମାଳମାଳ ପ୍ରତିଶ୍ରୁତି ଦିଏ, ହେଲେ ଫଳାଫଳ ଘୋଷଣା ପରେ ସବୁ ଭୁଲି ଯାଏ ବୋଲି କହିଛି ବିଜେଡି । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେଡିର ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ମନେ ପକାଇଦେଇଛନ୍ତି ସସ୍ମିତ। ୨୦୧୪ ନିର୍ବାଚନ ପୂର୍ବରୁ ଦଳୀୟ ଇସ୍ତାହାରରେ ରାଜ୍ୟ ବିଜେପି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ହେଲେ ନିର୍ବାଚନ ପରେ ଭୁଲିଗଲେ । ୨୦୧୪ ଓ ୨୦୧୯ରେ ଧାନ ସଂଗ୍ରହ ମୂଲ୍ୟକୁ ଦୁଇଗୁଣା କରିବା ପାଇଁ ବିଜେପି ନେତା ପ୍ରତିଶ୍ରୁତି ଦେଇଥିଲେ, ହେଲେ ସେ ପ୍ରତିଶ୍ରୁତି ବି ଭୁଲିଗଲେ ବୋଲି ଅଭିଯୋଗ ବାଢିଛନ୍ତି ସସ୍ମିତ ।

ସେ କହିଛନ୍ତି ଯେ, ହରିଦାସପୁରରୁ କେନ୍ଦ୍ରାପଡ଼ା ଦେଇ ପାରାଦୀପକୁ ପାସେଞ୍ଜର ଟ୍ରେନ ଚଳାଚଳ ଓ କୋଷ୍ଟାଲ ହାଇୱେ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି ବିଜେପି । କେନ୍ଦୁପତ୍ରରୁ ଜିଏସଟି ହଟାଇବା ପାଇଁ ପ୍ରତିଶ୍ରୁତି ଦେଇ ଭୁଲିଗଲେ । ପଦମପୁରକୁ ଟ୍ରେନ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ମଧ୍ୟ ଭୁଲିଗଲେ । ଏଭଳି ଅନେକ ପ୍ରସଙ୍ଗରେ ବିଜେପି କେବଳ ପ୍ରତିଶ୍ରୁତି ହିଁ ଦେଇଛି, କିନ୍ତୁ କିଛି ପୂରଣ କରିନାହିଁ ବୋଲି ସସ୍ମିତ କହିଛନ୍ତି ।

Comments are closed.