ବିଡିଓଙ୍କ ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ

ପାରଳାଖେମୁଣ୍ଡି – ବିଡିଓଙ୍କ ଗାଡ଼ି ଧକ୍କାରେ ଗଲା ବାଇକ ଆରୋହୀଙ୍କ ଜୀବନ । ଦୁର୍ଘଟଣା ପରେ ମାନବିକତା ଦୃଷ୍ଟିରୁ ଅଟକିବେ କଣ, ଘଟଣାସ୍ଥଳରୁ ଗାଡ଼ି ସହ ତୁରନ୍ତ ପଳାଇ ଯାଇଥିଲେ। ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଯାଜପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପାରଳାଖେମୁଣ୍ଡରେ ଆଜି ଜିଲ୍ଲାସ୍ତରୀୟ ବିଡିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋହନା ବିଡିଓ ତପସ୍ୱିନୀ ହାଁସଦା ସରକାରୀ ବୋଲେରୋ ଗାଡ଼ିରେ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲେ। ବୋଲେରୋ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ପୋଡୋନି ଛକଠାରେ ବାଇକ୍‌ରେ ଯାଉଥିବା ଟି.ପ୍ରଭାକରଙ୍କୁ ଧକ୍କା ଦେଇଥିଲା। ପ୍ରଭାକର ପିନ୍ଧିଥିବା ହେଲମେଟ ଛିଟିକି ୨ଶହ ମିଟର ଦୂରରେ ପଡ଼ିଥିଲା। ଟି.ପ୍ରଭାକରଙ୍କ ମୁଣ୍ଡ ବୋଲେରୋ ଚକା ତଳେ ଚାପି ହୋଇ ଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ, ଦୁର୍ଘଟଣା ପରେ ଆମ୍ବୁଲାନ୍ସ କିମ୍ବା ପୋଲିସ୍‌କୁ କଲ୍‌ ନ କରି ବିଡିଓ ଘଟଣାସ୍ଥଳରୁ ପଳାଇଥିଲେ।

Comments are closed.