ଜୟ ମାନସିକ ସନ୍ତୁଳନ ହରାଇଛନ୍ତି, ତାଙ୍କୁ ଦୂରେଇ ରୁହ: ବିଜେଡି 

ଭୁବନେଶ୍ବର : ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ଏବେ ସେ କିଛି ଦିନ ହେଲା ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି। ତେଣୁ, ତାଙ୍କ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ ବୋଲି ବିଜେଡି ମୁଖ୍ୟ ସଚେତକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି। ତାଙ୍କ ଭଳି ବ୍ୟକ୍ତିଙ୍କ କଥାକୁ ବିଜେଡି ଆଦୌ ଗୁରୁତ୍ବ ଦେବାକୁ ଚାହୁଁନି। ବରଂ ବିଜେଡି ନେତୃବୃନ୍ଦ ତୁରନ୍ତ ଜୟନାରାୟଣଙ୍କ ମାନସିକ ଚିକିତ୍ସା କରନ୍ତୁ ବୋଲି ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରକାଶ କରିଛନ୍ତି।

ଶ୍ରୀ ମୁଦୁଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜୟନାରାୟଣଙ୍କ ନାଁରେ ପୂର୍ବରୁ 16ଟି ଅପରାଧିକ ମାମଲା ରହିଛି। ଏକ ହତ୍ୟା ମାମଲାରେ ମଧ୍ୟ ସେ ସଂପୃକ୍ତ ହୋଇ ଜେଲ ଯାଇଥିବା ବେଳେ ବର୍ତ୍ତମାନ ଜାମିନରେ ଅଛନ୍ତି। ଏପରିକି ପୂର୍ବରୁ ସେ ତାଙ୍କ ଦଳର ରାଜ୍ୟ ସଭାପତିଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ ଓ ଧମକ ସହ ଆକ୍ରମଣ କରିଛନ୍ତି। ଖାଲି ସେତିକି ନୁହେଁ, ବିଧାନସଭାରେ ତାଙ୍କ ଦଳର ନେତା ଟଙ୍କା ଖାଇ ମ୍ୟାନେଜ ହେଉଛନ୍ତି ବୋଲି ପାଗଳଙ୍କ ପରି ବୟାନ ଦେଇଥିଲେ। ଆଉ ଏହି ଆଚରଣ ପାଇଁ ହିଁ ସେ ମାନସିକ ଭାରସାମ୍ୟ ହରାଇଥିବା ନେଇ ଖୋଦ ତାଙ୍କ ଦଳର ନେତାମାନେ ପ୍ରକାଶ କରି ଆସୁଛନ୍ତି।

ଏଭଳି ସ୍ଥିତିରେ ସେ ଯେ କୌଣସି ମୁହୁର୍ତ୍ତରେ କାହାରିକୁ ବି ଆକ୍ରମଣ କରିବାର ଭୟ ଥିବାରୁ ତାଙ୍କ ଠାରୁ ଦୂରେଇ ରହିବାକୁ ବିଜେପିର ବିଧାୟକ ଓ ନେତୃବୃନ୍ଦଙ୍କୁ ଶ୍ରୀ ମୁଦୁଲି ଅନୁରୋଧ କରିଛନ୍ତି। ଖାଲି ସେତିକି ନୁହେଁ, ଆଜି ବିଧାନସଭା ପରିସରରେ ଏକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୟନାରାୟଣ ଠେଲାପେଲା ସହ ଦୁର୍ବୟବହାର ପ୍ରଦର୍ଶନ କରିଛନ୍ତି। ତେଣୁ, ଯେ କୌଣସି ମୁହୁର୍ତ୍ତରେ ତାଙ୍କ ଆଡୁ ଆକ୍ରମଣର ଭୟ ଥିବାରୁ ସାମ୍ବାଦିକମାନେ ମଧ୍ୟ ବାଇଟ ନେବା ବେଳେ ସୁରକ୍ଷିତ ଦୂରତା ରଖନ୍ତୁ ବୋଲି ଶ୍ରୀ ମୁଦୁଲି ପରାମର୍ଶ ଦେଇଛନ୍ତି। ଜୟନାରାୟଣଙ୍କ ମାନସିକ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ ଜୋରଦବରଦସ୍ତ ଡାକ୍ତରଙ୍କୁ ପାଖକୁ ନେଇ ଚିକିତ୍ସା କରାଇବାକୁ ଶ୍ରୀ ମୁଦୁଲି ପରାମର୍ଶ ଦେଇଛନ୍ତି। ଏହାଛଡା ତାଙ୍କ ଭଳି ଜଣେ ପାଗଳ ବ୍ୟକ୍ତିଙ୍କୁ ବିଜେଡି ଗୁରୁତ୍ବ ଦେଉନଥିବା ବେଳେ ତାଙ୍କର ବୟାନର କୌଣସି ପ୍ରତିକ୍ରିୟା ଦେବାକୁ ବି ଦଳ ଚାହୁଁନାହିଁ ବୋଲି ଶ୍ରୀ ମୁଦୁଲି ପ୍ରକାଶ କରିଛନ୍ତି।

Comments are closed.