କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟିର ଅର୍ଥ ବ୍ୟବସ୍ଥାକୁ ସଂଘର ସ୍ବାଗତ

ସମ୍ବଲପୁର: ଗତକାଲି ରାଜ୍ୟର ୨୦୨୩ ମ:-୨୪ମ: ର ବଜେଟରେ ପ୍ରଥମଥର ପାଇଁ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳୀ, ସିଜନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଥମ ଥର ୫୦ କୋଟି ଟଙ୍କା ଆର୍ଥିକ ବ୍ୟବସ୍ଥା କରିଥିବାରୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଏହାକୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ତଥା ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଶ୍ରୀ ମହାନ୍ତି ତାଙ୍କ ବିବୃତିରେ ଦର୍ଶାଇଛନ୍ତି ଯେ, କେନ୍ଦୁପତ୍ର ସଂସ୍ଥାରେ ୨୦୧୮ମ: ରୁ ପର ଠାରୁ ଜି. ଏସ. ଟି. ଲାଗୁ ହେବା ଏବଂ ଅନ୍ୟାନ୍ୟ କାରଣରୁ ବିକ୍ରୟମୂଲ୍ୟ ହ୍ରାସ ହେବା ଏବଂ ଲାଭର ପରିମାଣ କମିଯିବା ଫଳରେ ଉପରୋକ୍ତ ଶ୍ରେଣୀର ସମସ୍ତ ଶ୍ରମିକ ବିଭିନ୍ନ ସହାୟତା ଯଥାକ୍ରମେ ଛାତ୍ରବୃତ୍ତି ଓ କନ୍ୟା ବିବାହ ପାରି ସାମାଜିକ ନିରାପତ୍ତା ସହାୟତା ପାଇଁବାରୁ ବଂଚିତ ହୋଇ ଆସୁଛନ୍ତି ଏବଂ ବୋନସ ପରିମାଣ ମଧ୍ୟ ହ୍ରାସ ପାଉଛି। ଏଥିପାଇଁ ସଂଘ ଗତ ୨ ବର୍ଷ ହେବ ରାଜ୍ୟ ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କରିବାକୁ ଦାବି କରି ଆସୁଥିଲା ଏବଂ ଗତ ନଭେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ରାଜ୍ୟର ବଜେଟରେ ପ୍ରଥମ ଥର ପାଇଁ ୫୦ କୋଟି ଟଙ୍କା କଲ୍ୟାଣ ପାଣ୍ଠିକୁ ସହାୟତା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ଏହି ସହାୟତା ବର୍ତ୍ତମାନ ଉପରୋକ୍ତ ସାମାଜିକ ନିରାପତ୍ତା ତଥା କଲ୍ୟାଣ ଦିଗରେ ଖୁବ୍ ସହାୟତା ହୋଇପାରିବ ବୋଲି ଶ୍ରୀ ମହାନ୍ତି ଦୃଢ ଆଶା ପ୍ରକାଶ କରିଛନ୍ତି ।

Comments are closed.