ଆରମ୍ଭ ହେଲା +୨ ବାର୍ଷିକ ପରୀକ୍ଷା : ଦକ୍ଷିଣାଞ୍ଚଳରେ ୭୨,୫୭୨ ପରୀକ୍ଷାର୍ଥୀ

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨୦୨୩ ମସିହା ବାର୍ଷିକ ପରୀକ୍ଷା ବୁଧବାରରୁ ଆରମ୍ଭ ହୋଇଛି। ପୂର୍ବାହ୍ଣ ୧୦ଟାରେ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ପ୍ରଥମ ସିଟିଂ ସରୁଛି। ଏହି ପରୀକ୍ଷା ଆଗାମୀ ଅପ୍ରେଲ୍ ମାସ ୫ ତାରିଖ ଦିନ ଶେଷ ହେବ। ପରୀକ୍ଷାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ଓ ସିସି-କ୍ୟାମେରା ନଜର ମଧ୍ୟରେ ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ଅବାଧ, ତ୍ରୁଟିଶୂନ୍ୟ ଓ ସମ୍ପୂର୍ଣ୍ଣ କପିମୁକ୍ତ କରିବା ଲକ୍ଷ୍ୟରେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପସଚିବ ଡ. କୁଳମଣି ଓଝା ସୂଚନା ଦେଇଛନ୍ତି। ଆଜି ପ୍ରଥମ ସିଟିଂରେ ବିଜ୍ଞାନ ସ୍ରୋତ ଛାତ୍ରଛାତ୍ରୀ ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ଦେଉଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଆଠଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ବୌଦ୍ଧ ଜିଲ୍ଲାରେ ୨୦୭ ପରୀକ୍ଷା କେନ୍ଦ୍ର ଓ ୪୫ଟି ‘ପରୀକ୍ଷା ପରିଚାଳନା ହବ୍’ କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ଦୁଇରୁ ତିନି ଘଣ୍ଟା ପୂର୍ବରୁ ହବ୍ କେନ୍ଦ୍ରରୁ ସାଧାରଣ ପରୀକ୍ଷା କେନ୍ଦ୍ରକୁ ଜଣେ ପର୍ଯ୍ୟବେକ୍ଷକ ଓ ଜଣେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସହିତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପଠାଯାଇଥିଲା। ପରୀକ୍ଷା ସରିବା ପରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକ ଉକ୍ତ ହବ୍ ଷ୍ଟ୍ରଙ୍ଗ୍ ରୁମରେ ଆଣି ସିଲ୍ ହୋଇଥିବା ଉତ୍ତର ଖାତା ପ୍ୟାକେଟ୍ ଦାଖଲ କରିବେ। ପରୀକ୍ଷାକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ କପିମୁକ୍ତ ଭାବେ ପରିଚାଳନା କରିବା ନିମନ୍ତେ ସର୍ବାଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ +୨ ବାର୍ଷିକ ପରୀକ୍ଷା ନିମନ୍ତେ କଳା ସ୍ରୋତରେ ୫୦୨୦୦, ବିଜ୍ଞାନ ସ୍ରୋତରେ ୧୯୨୭୯, ବାଣିଜ୍ୟ ସ୍ରୋତରେ ୫୦୮୮ ଓ ଧନ୍ଦାମୂଳକ ଶିକ୍ଷାରେ ୯୦୦ ଜଣ ତଥା ମୋଟରେ ୭୫,୪୬୭ ଜଣ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକୃତ ହୋଇଛି। ସେମାନଙ୍କ ମଧ୍ୟରୁ ରେଗୁଲାର୍ ପରୀକ୍ଷାର୍ଥୀ ଭାବେ ୬୭,୯୮୬ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଭାବେ ୪,୫୮୬ ତଥା ମୋଟ ୭୨,୫୭୨ ଜଣ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି।

ଗଞ୍ଜାମ ଜିଲ୍ଲାରେ ୧୬ଟି ପରୀକ୍ଷା ପରିଚାଳନା ହବ୍ ରହିଛି। ୭୨ଟି ପରୀକ୍ଷା କେନ୍ଦ୍ରରେ କଳାର ୧୯୧୨୬, ବିଜ୍ଞାନର ୯୫୭୮, ବାଣିଜ୍ୟର ୨୩୪୪, ଧନ୍ଦାମୂଳକ ଶିକ୍ଷାର ୨୭୭ ତଥା ମୋଟରେ ୩୧,୩୨୫ ଜଣ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାର୍ ୨୯,୧୨୩ ଓ ଏକ୍ସ-ରେଗୁଲାର୍ ୧୦୨୨ ପରୀକ୍ଷାର୍ଥୀ ଅଛନ୍ତି। ଗଜପତି ଜିଲ୍ଲାରେ ୪ଟି ହବ୍ ଓ ୧୬ଟି କେନ୍ଦ୍ର ରହିଛି। ଏହି ଜିଲ୍ଲାରେ ପରୀକ୍ଷା ଦେଉଛନ୍ତି କଳାରେ ୩୬୧, ବିଜ୍ଞାନରେ ୯୮୯, ବାଣିଜ୍ୟରେ ୧୧୦, ଧନ୍ଦାମୂଳକ ଶିକ୍ଷାରେ ୧୨୮ ଜଣ। ରେଗୁଲାର୍ ଭାବେ ୪୩୫୫ ଓ ଏକ୍ସ-ରେଗୁଲାର୍ ଭାବେ ୩୮୪ ପରୀକ୍ଷାର୍ଥୀ ରହିଛନ୍ତି। କନ୍ଧମାଳ ଜିଲ୍ଲାରେ ଅଛି ୫ଟି ହବ୍ ଓ ୨୩ଟି ପରୀକ୍ଷା କେନ୍ଦ୍ର। ଏହି ଜିଲ୍ଲାରେ କଳାରେ ୬୩୦୯, ବିଜ୍ଞାନରେ ୮୭୮, ବାଣିଜ୍ୟରେ ୨୨୨, ଧନ୍ଦାମୂଳକ ଶିକ୍ଷାରେ ୧୩୮ ଏହିପରି ୭୫୬୩ ଜଣଙ୍କ ମଧ୍ୟରୁ ରେଗୁଲାର୍ ଭାବେ ୬୩୭୫ ଓ ଏକ୍ସ-ରେଗୁଲାର୍ ଭାବେ ୬୮୩ ପରୀକ୍ଷାର୍ଥୀ ରହିଛନ୍ତି।

କୋରାପୁଟ ଜିଲ୍ଲାରେ ୬ଟି ହବ୍ ଓ ୨୬ଟି ପରୀକ୍ଷା କେନ୍ଦ୍ର ଅଛି। ଏହି ଜିଲ୍ଲାରେ କଳାର ୫୭୧୨, ବିଜ୍ଞାନର ୨୭୭୪, ବାଣିଜ୍ୟର ୯୧୯, ଧନ୍ଦାମୂଳକ ଶିକ୍ଷାର ୧୭୫ ପରୀକ୍ଷାର୍ଥୀ ଅଛନ୍ତି। ମାଲକାନଗିରି ଜିଲ୍ଲାରେ ୩ଟି ହବ୍ ଓ ୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ଜିଲ୍ଲାରେ କଳାର ୩୧୫୬, ବିଜ୍ଞାନର ୧୨୩୪, ବାଣିଜ୍ୟର ୪୨୫ ତଥା ମୋଟ ୪୮୧୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଧନ୍ଦାମୂଳକ ଶିକ୍ଷାରେ କେହି ନାହାନ୍ତି।

ନବରଙ୍ଗପୁର ଜିଲ୍ଲାରେ ୩ଟି ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ର ରହିଛି। ଏହି ଜିଲ୍ଲାରେ କଳାର ୪୪୯୧, ବିଜ୍ଞାନର ୧୭୫୯, ବାଣିଜ୍ୟର ୩୮୭ ଏହିପରି ୬୬୩୭ ଜଣ ପରୀକ୍ଷା ଦେଉଛନ୍ତି। ଏହି ଜିଲ୍ଲାରେ ମଧ୍ୟ ଧନ୍ଦାମୂଳକ ଶିକ୍ଷାରେ କେହି ପରୀକ୍ଷାର୍ଥୀ ନାହାନ୍ତି। ରାୟଗଡ଼ା ଜିଲ୍ଲାରେ ୫ଟି ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ର ରହିଛି। ଏହି ଜିଲ୍ଲାରେ କଳାରେ ୪୦୮୮, ବିଜ୍ଞାନରେ ୧୮୯୫, ବାଣିଜ୍ୟରେ ୬୭୧, ଧନ୍ଦାମୂଳକ ଶିକ୍ଷାରେ ୭୮ ତଥା ମୋଟ ୬୭୪୭ ଜଣ ପରୀକ୍ଷାର୍ଥୀ ଅଛନ୍ତି। ବୌଦ୍ଧ ଜିଲ୍ଲାରେ ୩ଟି ହବ୍ ଓ ୧୦ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାର ୩୭୧୭, ବିଜ୍ଞାନର ୧୭୨, ବାଣିଜ୍ୟର ୧୦, ଧନ୍ଦାମୂଳକ ଶିକ୍ଷାର ୬୬ ଏହିପରି ୩୯୭୪ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

Comments are closed.