ବୃକ୍ଷକୁ ରୋଗମୁକ୍ତ କରିବା ପାଇଁ ବ୍ରହ୍ମପୁରର ପ୍ରକୃତିପ୍ରେମୀଙ୍କ ଅଭିନବ ପ୍ରୟାସ 

ବ୍ରହ୍ମପୁର: ବୃକ୍ଷକୁ ରୋଗମୁକ୍ତ କରିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଗଛମାନଙ୍କ ସହ ରଙ୍ଗର ଖେଳ ନିଆରା ହୋଲି ପାଳନ କରାଯାଇଛି। ହୋଲି ଓ ତା ପରଦିନ ସବୁଜ ବାହିନୀ ପକ୍ଷରୁ ବୃକ୍ଷମାନଙ୍କ ସହିତ ଭାଈଚାରାର ଭାବ ସୃଷ୍ଟି ସକାଶେ ଏହି ପ୍ରୟାସ କରାଯାଇଛି। ପୂର୍ବରୁ ଗଛଗୁଡ଼ିକ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସେମାନଙ୍କୁ ରାକ୍ଷୀ ବାନ୍ଧିବା ସହ ନୂଆ ବର୍ଷରେ ଚାରାରୋପଣ ଭଳି ଉତ୍ସବ ଆୟୋଜନ କରିଥିବା ସବୁଜ ବାହିନୀ ଏବେ ଗଛମାନଙ୍କ ସହ ପ୍ରାକୃତିକ ରଙ୍ଗର ହୋଲି ପାଳନ କରାଯାଇଛି। ପ୍ରକୃତି, ଗଛଲତା ଓ ବ୍ୟକ୍ତିଙ୍କ ମଧ୍ୟରେ ଥିବା ଭଲ ପାଇବାକୁ ଆହୁରି ଦୃଢ଼ କରିବା ପାଇଁ ଫଗୁ ଲଗାଇଥିଲେ ପ୍ରକୃତି ପ୍ରେମୀ। ଗଛ ମୂଳରେ ଉଈ ଏବଂ ବିଭିନ୍ନ ପୋକ ଲାଗି ରହୁଥିବାରୁ ଗଛ ନଷ୍ଟ ହେବା ସହ ଅସ୍ଵାଭାବିକ ଭାବେ ଭାଙ୍ଗି ନଷ୍ଟ ହେଉଛି। ତେଣୁ ବୃକ୍ଷକୁ ଦୃଢ଼ ଓ ଦୀର୍ଘକାଳୀନ ବଞ୍ଚାଇ ରଖିବା ପାଇଁ ପ୍ରାକୃତିକ ଭାବେ ପ୍ରସ୍ତୁତ ନିମପତ୍ର, ହଳଦୀ, ଗୋବର ଏବଂ ଧଳାଚୂର୍ଣ୍ଣ ମିଶ୍ରଣରେ ପ୍ରସ୍ତୁତ ହର୍ବାଲ୍ ହୋଲିରେ ବୃକ୍ଷକୁ ଲେପ ଲଗାଯାଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ପ୍ରଫେସରଙ୍କ ପରାମର୍ଶକ୍ରମେ ପ୍ରାକୃତିକ ଉପାୟରେ ଏହି ହୋଲି ପ୍ରସ୍ତୁତ କରାଯାଇଥିଲା।

ବୃକ୍ଷର ମଧ୍ୟ ଜୀବନ ରହିଛି। ଏଣୁ ବୃକ୍ଷକୁ ଭଲ ପାଇବା ଓ ଲୋକଙ୍କୁ ସଚେତନ କରାଇବା ପାଇଁ ଏହିଭଳି କାର୍ଯ୍ୟକ୍ରମ କରାଯାଇଥିଲା। ମନୁଷ୍ୟ ଓ ବୃକ୍ଷ ସାଥୀ ହୋଇ ନିତିଦିନିଆ ଜୀବନ ଅତିବାହିତ କରୁଥିବାରୁ ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବା ଥିଲା ଏହି ପ୍ରୟାସର ଉଦ୍ଦେଶ୍ୟ। ବିଭିନ୍ନ ପର୍ବପର୍ବାଣୀରେ ଲୋକମାନଙ୍କୁ ପରିବେଶ ସହିତ ଜଡ଼ିତ କରିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ମାତୃ ଦିବସରେ ବୃକ୍ଷକୁ ମାଆ ଭାବେ ପୂଜା କରିବା, ରକ୍ଷା ବନ୍ଧନ ଦିନରେ ଗଛକୁ ରାକ୍ଷୀ ବାନ୍ଧିବା, ବନ୍ଧୁତା ଦିବସରେ ଗଛ ସହ ବନ୍ଧୁତା ରଖିବା, ପରିବେଶ ଦିବସରେ ଚାରାରୋପଣ କରି ପରିବେଶକୁ ସନ୍ତୁଳିତ କରିବା ଭଳି ବିଭିନ୍ନ ଉପାୟରେ ବୃକ୍ଷ ଏବଂ ମନୁଷ୍ୟକୁ ବାନ୍ଧିବା ଓ ସଚେତନ କରିବା ପ୍ରଚେଷ୍ଟା ଜାରି ରଖିଥିବା କହିଛନ୍ତି ସବୁଜ ବାହିନୀ ସଭାପତି ଶିବରମ ପାଣିଗ୍ରାହୀ, ସମ୍ପାଦକ ଏ. ପ୍ରକାଶ ପ୍ରମୁଖ। ସଙ୍ଗଠନର ସଦସ୍ୟ ଏମ୍.ଦିଲ୍ଲୀପ କୁମାର, ପି.ବିନୋଦ, ଗଣେଶ ପାଣିଗ୍ରାହୀ, ପି.କିରଣ କୁମାର, ଆକାଶ ରାଉତ, ସୁଶୀଲ କୁମାର, ପ୍ରସନ୍ନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.