ଓଏସଏଚବି ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଘର ବା ପ୍ଲଟ ନେଇଥିବା ଲୋକ ଙ୍କୁ ମିଳିବ ମୁକ୍ତ ମାଲିକାନା

ଭୁବନେଶ୍ୱର – ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା -ଓଏସଏଚବି ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଘର ବା ପ୍ଲଟ୍‌ ନେଇଥିବା ଲୋକଙ୍କୁ ଏବେ ମିଳିବ ମୁକ୍ତ ମାଲିକାନା। ଅର୍ଥାତ୍‌ ସେମାନେ ହିଁ ଘରର ଏବଂ ଘରଡିହ ମାଲିକ ହେବେ। ସେମାନେ ଆଉ ଲିଜ୍‌ଧାରୀ ହୋଇ ରହିବେ ନାହିଁ। ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆବାସିକ ପ୍ରକଳ୍ପଗୁଡ଼ିକର ହିତାଧିକାରୀମାନଙ୍କୁ ମୁକ୍ତ ମାଲିକାନା ପ୍ରଦାନ କରାଯିବ। ଏହାଦ୍ୱାରା ପ୍ରାୟ ଏକ ଲକ୍ଷ ଲିଜ୍‌ଧାରୀ ଉପକୃତ ହେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା -ଓଏସ୍‌ଏଚ୍‌ବି ଓ ଉନ୍ନୟନ କର୍ତ୍ତୃପକ୍ଷମାନଙ୍କ ଲିଜ୍ ଆଧାରରେ ଆବାସିକ ପ୍ରକଳ୍ପରେ ଏକ ଲକ୍ଷରୁ ଅଧିକ ପରିବାରଙ୍କୁ କୋଠାଘର ବଣ୍ଟନ କରାଯାଇଛି। ଏହି ପ୍ଲଟ୍‌ ଓ ଘରଗୁଡିକର ହିତାଧିକାରୀମାନେ ଏ ମାଲିକାନା ପାଇବାକୁ ଆଗ୍ରହୀ ହେଉଥିଲେ ସୁଦ୍ଧା ଏ ନେଇ କୌଣସି ବିଧିଗତ ବ୍ୟବସ୍ଥା ନଥିଲା। ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରିତାକୁ ଏବେ ହିତାଧିକାରୀମାନେ ଏ ବାବଦରେ କର୍ତ୍ତୃପକ୍ଷମାନଙ୍କୁ ଆବଶ୍ୟକ ଫି ଗଣିବେ। ତେବେ ଭବିଷ୍ୟତରେ ଯେଉଁମାନେ ଏଭଳି ସଂସ୍ଥାମାନଙ୍କଠାରୁ ଜମି/ଘର କିଣିବେ ସେମାନେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ସାରା ରାଜ୍ୟରେ ୨୭୯୭.୪୯୨ ଏକର ଜମିରେ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା -ଓଏସଏଚବି ଏବଂ ଉନ୍ନୟନ କର୍ତ୍ତୃପକ୍ଷ ୯୯ଟି ପ୍ରକଳ୍ପ ଜରିଆରେ ଲୋକଙ୍କୁ ଘରଡିହ/ଘର ଆବଣ୍ଟନ କରିଛନ୍ତି।

Comments are closed.