ଜଳ ଦିବସ: ଜଳର ଆବଶ୍ୟକତା ଲକ୍ଷ୍ଯ ପୂରଣ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି- ମନ୍ତ୍ରୀ

ଭୁବନେଶ୍ବର: ରାଜୀବ ଭବନ ସ୍ଥିତ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଶ୍ବ ଜଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ , ଜୀବନ ଓ ଜଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ । ଜଳକୁ ନେଇ ସାଗରର ସୃଷ୍ଟି । ଜଳବାୟୁ ପରିବର୍ତ୍ତନ , ଅସମୟରେ ବର୍ଷା , ଅସନ୍ତୁଳିତ ମୌସୁମୀ ବର୍ଷା ଯୋଗୁଁ ଆମେ ଆବଶ୍ୟକତା କରୁଥିବା ଜଳର ଅଭାବ ରହୁଛି । ଜଳ ସଂପଦର ସୁରକ୍ଷା କରି ଜଳସେଚନ ଓ ଅନ୍ୟାନ୍ୟ ବ୍ୟବହାରିକ ଆବଶ୍ୟକତା ପୂରଣ ପାଇଁ ଜଳସଂପଦ ବିଭାଗ ଅହରହ ଉଦ୍ୟମ କରିଆସୁଛନ୍ତି । ଜୀବନ ଜୀବିକା ପାଇଁ ସମସ୍ତଙ୍କ ନିମନ୍ତେ ଜଳର ଆବଶ୍ୟକତା ଲକ୍ଷ୍ୟ ପୂରଣ ନିମନ୍ତେ ଜଳସଂପଦ ବିଭାଗର ସମସ୍ତ ପ୍ରୟାସ ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ବିଭାଗ ଦ୍ବାରା ପ୍ରକାଶିତ ‘ ଜଳ ଯୋଗାଯୋଗ ରଣନୀତି ’ ପୁସ୍ତକ ‘ ଊର୍ମି’ର ଶୁଭ ଇନ୍ମୋଚନ କରିବା ସହିତ ବିଭାଗରେ ଇଂଜିନିୟରମାନଙ୍କର ଅବସ୍ଥିତି ଓ କାର୍ଯ୍ୟାବଳୀ ସଂପର୍କିତ ଏବଂ ବିଭିନ୍ନ ତଥ୍ୟକୁ ସମନ୍ବିତ କରିବା ପାଇଁ ୱେବ୍ ସକ୍ଷମଯୁକ୍ତ ବ୍ୟବସ୍ଥା ଯଥାକ୍ରମେ ‘ ୱାଟର ଡକ୍ଟ ’ ଓ ‘ ପିନସିସ ’ ଭଳି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଭିଭିକ ଡାଟାବେସର ଶୁଭାରମ୍ଭ କରିଥିଲେ ।

ସେହିପରି ମନ୍ତ୍ରୀ ମଧ୍ୟ ଜଳ ଶକ୍ତି ଅଭିଯାନ – ପୁସ୍ତିକା ୨.୦ କୁ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ବିଶ୍ବ ଜଳ ଦିବସ ପାଳନର ପ୍ରସଙ୍ଗ ରହିଥିଲା , ସ୍ବଚ୍ଛ ଜଳର ଉପଲବ୍ଧତା ନେଇ ରହିଥିବା ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ପାଇଁ ଦ୍ରୁତ ପରିବର୍ତ୍ତନର ଆବଶ୍ୟକତା । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଥିଲେ ଯେ , ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଘରକୁ ପାଣି ପହଁଚାଇବା ପାଇଁ ଲକ୍ଷ୍ୟ ରଖି ତୃଣମୂଳସ୍ତରରେ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ସର୍ବଦା ଆହ୍ବାନ ଦେଇଆସିଛନ୍ତି । ସାଧାରଣ ଜୀବନରେ ପିଇବା ପାଣି ହେଉ , ସାଧାରଣ ବ୍ୟବହାର ହେଉ କିମ୍ବା ଚାଷୀମାନଙ୍କର ଆବଶ୍ୟକତା ପୂରଣ ପାଇଁ ହେଉ , ଜଳର ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ସହଭାଗୀ ଅନୁଷ୍ଠାନ ଓ ସରକାରୀ ବିଭାଗର ସହଯୋଗ ଓ ସାମୁହିକ ପ୍ରୟାସ ଏ ଦିଗରେ ସଫଳତା ଆଣିଦେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀଗର୍ଗ ଯୋଗଦେଇ କହିଲେ ଯେ , ଜଳ ସଂପଦର ସୁରକ୍ଷା ଓ ସୁପରିଚାଳନା କ୍ଷେତ୍ରରେ ରୂପାନ୍ତରଣ ଆମର ଲକ୍ଷ୍ୟ ରହିଛି । ଏଥ୍ ପାଇଁ ବିଭାଗରେ “ ୫ – ଟି ” ଉପକ୍ରମ ଓ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଜଳ ସଂରକ୍ଷଣ ଓ ଜଳସେଚନ ଆବଶ୍ୟକତା ପୂରଣ ଦିଗରେ ଗୁରୁତ୍ବ ଦିଆଯାଉଥିବା ଶ୍ରୀମତୀ ଗର୍ଗ କହିଥିଲେ । ଜଳ ସଂରକ୍ଷଣକୁ ଦୃଷ୍ଟି ଦେଇ ବିଭାଗ ଜରିଆରେ ୬୬ ଟି ଅନ୍ତଃନଦୀ ଜଳାଶୟ ନିର୍ମାଣ କରିବାକୁ ତ୍ବରିତ ପଦକ୍ଷେପ ନିଆଯାଇଥିବା ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ଯୋଗଦେଇ କହିଲେ ଯେ , ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ହେଉଛି ପିଇବା ପାଣି ବ୍ୟବହାର କ୍ଷେତ୍ରରେ ସବୁଠାରୁ ବଡ ଅଂଶୀଦାର । ସମସ୍ତଙ୍କୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଆମର ପ୍ରାଥମିକତା ରହିଥିବା ବେଳେ ବହି ଯାଉଥିବା ଜଳ ଉତ୍ସର ସଂରକ୍ଷଣ , ଖରାଦିନରେ ଜଳର ଆବଶ୍ୟକତା ପୂରଣ ପାଇଁ ଜଳ ମିଳୁଥିବା ସମୟରେ ଏହାର ସଂରକ୍ଷଣ ପାଇଁ ସବୁ ସ୍ତରରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଯୋଗଦେଇ ବିଦ୍ୟାଳୟରେ ଶିଶୁମାନଙ୍କୁ ପାଠ ପଢାଇବା ସହିତ ଜଳର ଉତ୍ତମ ବ୍ୟବହାର ସଂପର୍କରେ ଶିଖାଇବାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ୟୁନିସେଫର ରାଜ୍ୟ ମୁଖ୍ୟ ଡଃ ମିନା ସୋମ ଯୋଗଦେଇ ଶୁଦ୍ଧ ପାନୀୟ ଜଳର ଉପଲବଧତା ସଂପର୍କରେ ମତ ରଖିଥିବା ବେଳେ ଅତିଥି ଭାବେ ଓଡିଶା ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଉପସ୍ଥିତ ଥିଲେ । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସମେତ ୟନିସେଫ , ୟୁଏନଡିପି ଏବଂ ବିଶ୍ବବ୍ୟାଙ୍କର ପ୍ରତିନିଧିମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀର ଜଳର ଉପଯୋଗିତା ସଂପର୍କରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।

Comments are closed.