ଜେଲରୁ ମୁକୁଳିଲେ ନବଜୋତ୍ ସିଂହ ସିଦ୍ଧୁ

ପଟିଆଲା: ଏକ‌ ରୋଡ୍ ରେଜ୍ ମାମଲାରେ ୧୦ ମାସ କାରାଦଣ୍ଡ ପରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ଶନିବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି ।

୧୯୮୮ର ରେଡ୍ ରୋଜ୍ ମାମଲାରେ ସୁପ୍ରିମକୋର୍ଟ ଗତ ବର୍ଷ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।
ଏହା ପରେ ସିଦ୍ଧୁ ୨୦ ମେ’ ୨୦୨୨ରେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ସିଦ୍ଧୁଙ୍କ ମୁକ୍ତି ସମ୍ପର୍କରେ ତାଙ୍କ ଓକିଲ ଏପିଏସ୍ ବର୍ମା କହିଛନ୍ତି ଯେ ପଞ୍ଜାବ ଜେଲ୍ ନିୟମ ଅନୁଯାୟୀ ଭଲ ଆଚରଣ ଯୋଗୁଁ ତାଙ୍କୁ ଦଣ୍ଡାଦେଶ ଅବଧିର ଦୁଇ ମାସ ପୂର୍ବରୁ ମୁକ୍ତ କରାଯାଇଛି ।

ଡିସେମ୍ବର ୨୭, ୧୯୮୮ରେ ପଟିଆଲାରେ ଏକ ମାର୍କେଟ ଅଞ୍ଚଳରେ ପାର୍କିଂକୁ ନେଇ ବିବାଦ ପରେ ସିଦ୍ଧୁଙ୍କ ଚାପୁଡ଼ା ମାଡ଼ରେ ୬୫ ବର୍ଷୀୟ ଗୁରୁନାମ ସିଂ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ତଳକୋର୍ଟ ଏହି ମାମଲାରେ ନବଜୋତ ସିଦ୍ଧୁଙ୍କୁ ଦୋଷମୁକ୍ତ କରିଦେଇଥିଲେ । ତେବେ ଗୁରୁନାମ ସିଂଙ୍କ ପରିବାର ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ନବଜୋତ ସିଦ୍ଧୁଙ୍କୁ ହାଇକୋର୍ଟ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସିଦ୍ଧୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ୧୫ ମଇ ୨୦୧୮ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଥିଲେ।

କିନ୍ତୁ ମେ ୨୦୧୮ରେ ପୀଡିତଙ୍କ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧୯ ମଇ ୨୦୨୨ରେ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଓ ଏକ ହଜାର ଟଙ୍କା ଜରିମାନା ଲଗାଇଥିଲେ ।

Comments are closed.