ଭୁବନେଶ୍ୱର -ଦୁବାଇ ବିମାନ ଉଡାଣ ପାଇଁ ଟିକେଟ ବିକ୍ରିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମେ’ ୧୫ରୁ ଉଡାଣ

ଭୁବନେଶ୍ୱର – ମେ’ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଭୁବନେଶ୍ୱରରୁ ସିଧା ଦୁବାଇ ବିମାନ ଉଡ଼ାଣ ପାଇଁ ଟିକେଟ ବୁକିଂର ଶୁଭାରମ୍ଭ ହୋଇଛି । ଉତ୍କଳ ଦିବସ ଅବସରରେ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ’ ୧୫ ତାରିଖରୁ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବ । ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିକାଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଏହା ଉପରେ ଫୋକସ କରୁଛନ୍ତି ବୋଲି ଟିକେଟ ବିକ୍ରିର ଶୁଭାରମ୍ଭ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ଦୁବାଇ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ବିମାନ ଚଳାଚଳ କେନ୍ଦ୍ର । ସେଠାକୁ ସିଧାସଳଖ ବିମାନ ଚଳାଚଳ ଓଡ଼ିଶା ପାଇଁ ଆଇଟି, ମ୍ୟାନୁଫାକଚରିଂ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଏକାଧିକ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମ ୮ଟି ଟିକେଟ ମିଶନ ଶକ୍ତି ମହିଳା, କ୍ରୀଡାବିତ, ଜନଜାତି ନେତା, ସ୍କିଲଡ ଇନ୍ ଓଡ଼ିଶା ଛାତ୍ରଛାତ୍ରୀ ଓ କାରିଗର ମାନଙ୍କୁ ପ୍ରଦାନ କରିଛନ୍ତି। ସୁନ୍ଦରଗଡ଼ ଏସଡିସି ଅଧ୍ୟକ୍ଷ ବିନୟ କୁମାର ଟପ୍ପୋ, କେନ୍ଦୁଝର ଏସଡିସି ଅଧ୍ୟକ୍ଷ ଲକ୍ଷ୍ମୀ ନାଏକ, କୋରାପୁଟ ଡିଏଲ ଏଫ ସଭାପତି ଜ୍ୟୋତିରେଖା ଚେତି, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଫୁଟବଲ ତାରକା ଅନୁରାଧା ବିଶ୍ଵାଳ, ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ, ଯାଜପୁର ସରକାରୀ ପଲିଟେକନିକର ବଳରାମ ରାଉତ ଓ ରାଉରକେଲା ସରକାରୀ ଆଟିଆଇର ହିମାଂଶୁ ସାହୁଙ୍କୁ ଟିକେଟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଗତବର୍ଷ ଦୁବାଇର ମେକ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଭୁବନେଶ୍ୱର -ଦୁବାଇ ସିଧା ବିମାନ ଉଡାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.