ସୋଲାର୍ ଲାଇଟ୍‌ରେ ଚମକିଲା ଗୋପାଳପୁର- ହରିପୁର ବ୍ରିଜ୍ 

ବ୍ରହ୍ମପୁର: ଗୋପାଳପୁର- ହରିପୁର ବ୍ରିଜ୍ ସଡ଼କକୁ ସୌରଶକ୍ତିଚାଳିତ ଆଲୋକୀକରଣ କରାଯାଇଛି।ଏହାର ବିଶେଷତ୍ତ୍ବ ଏୟା ଯେ ଉଭୟ ପଟେ ବଲବ୍ ଜଳି ଅଞ୍ଚଳକୁ ବେଶ୍ ଆଲୋକିତ କରୁଛି। ଗୋଟିଏ ବିଦ୍ୟୁତ୍ ଖୁଣ୍ଟରେ ଜଳୁଛି ନାମୀଦାମୀ କମ୍ପାନୀର ୬୦ ୱାଟ୍ ଓ ୧୫ ୱାଟ୍ ବିଶିଷ୍ଟ ଦୁଇଟି ଲେଖାଏଁ ବଲବ୍। ଏପରି ନିରବଚ୍ଛିନ୍ନ ଓ ପ୍ରଭାବୀ ଆଲୋକ ବ୍ୟବସ୍ଥା ହରିପୁରବାସୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି।

ଗୋପାଳପୁର ମୁହାଣର ବ୍ୟାକ୍ ଓ୍ବାଟର୍‌ ଉପରେ ବ୍ରିଜ୍ କରାଯାଇ ହରିପୁର ଓ ଗୋପାଳପୁର ମଧ୍ୟରେ ଗମନାଗମନକୁ ସୁଗମ କରାଯାଇଛି। ଏହାଦ୍ୱାରା ଗୋପାଳପୁରରୁ କେବଳ ହରିପୁରକୁ ନୁହେଁ ବରଂ ଛତ୍ରପୁର, ଆର୍ଜିପଲ୍ଲୀ, କାଳିଆବାଲି ଆଦି ଅଞ୍ଚଳକୁ ଯାତାୟାତ ସହଜ ଓ ସୁଗମ ସଂଯୋଗୀକରଣ ହୋଇପାରିଛି। ମାତ୍ର ସନ୍ଧ୍ୟା ଓ ରାତିରେ ଯାତାୟାତ ଦୃଷ୍ଟିରୁ ବ୍ରିଜ୍‌ ଉପରେ ଆଲୋକ ବ୍ୟବସ୍ଥାର ଆବଶ୍ୟକତା ରହିଥିଲା। ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରଥମ ସୌରଚାଳିତ ଲାଇଟ୍ ସଂଯୋଗ କରିଥିଲା। ସୌରଶକ୍ତିଚାଳିତ ଏହି ବଲବ୍ ଉଚ୍ଚ କ୍ଷମତାସମ୍ପନ୍ନ ଥିବାରୁ ଦୁଇଦିନ ଧରି ବ୍ୟାକ୍ଅପ୍ ଦେଇପାରୁଛି। ଏହା ଉଭୟ ହରିପୁର ଓ ଗୋପାଳପୁର ସମେତ ଆଖପାଖ ବହୁ ଗାଁରେ ଲୋକଙ୍କ ଯାତାୟାତକୁ ସୁଗମ କରିପାରିଛି। ଏଭଳି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ.ଗୋପବନ୍ଧୁଙ୍କୁ ସାଧୁବାଦ ଜଣାଇଛନ୍ତି।

Comments are closed.