ସଲିମ ଦୁରାନୀ : ଷ୍ଟାଇଲିସ କ୍ରିକେଟର, ଦର୍ଶକ ଦାବି କଲେ ମାରୁଥିଲେ ଛକା

୧୯୬୦-୭୦ ଦଶକରେ ଭାରତର ଅନେକ କ୍ରିକେଟର ନିଜର ବିଚକ୍ଷଣ ପ୍ରଦର୍ଶନ ବଳରେ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ । କିଛି କ୍ରିକେଟର ଏମିତି ବି ଥିଲେ, ଯେଉଁମାନଙ୍କ କ୍ୟାରିୟର ଲମ୍ବା ନଥିଲେ ମଧ୍ୟ ନିଜର ଅଦ୍ୱିତୀୟ ପ୍ରଦର୍ଶନ ବଳରେ ଦର୍ଶକଙ୍କ ବେଶ୍ ପ୍ରିୟପାତ୍ର ହୋଇପାରିଥିଲେ । ୧୯୬୦-୭୦ ଦଶକରେ ଏମିତି ଏକ ଲୋକପ୍ରିୟ କ୍ରିକେଟର ଥିଲେ ସଲିମ ଦୁରାନୀ । ସେ ଥିଲେ ଭାରତର ପ୍ରଥମ ଷ୍ଟାଇଲିସ କ୍ରିକେଟର । ସିନେ ତାରକାଙ୍କ ଭଳି ଥିଲା ଚେହେରା । ଆକ୍ରମଣାତ୍ମକ ବ୍ୟାଟିଂ, ବିଶାଳ ଛକା ମାରିବାରେ ଦୁରାନୀ ଥିଲେ ସିଦ୍ଧହସ୍ତ । ଷ୍ଟାଡିୟମରେ ଦର୍ଶକଙ୍କ ଦାବିରେ ଛକା ମାରିପାରୁଥିଲେ ଦୁରାନୀ । ଏଥିପାଇଁ ତ ଦୁରାନୀ ଥିଲେ ଦର୍ଶକଙ୍କ ଫେଭରିଟ କ୍ରିକେଟର୍ । ଦୁରାନୀ ଥିଲେ ଭାରତୀୟ କ୍ରିକେଟ ଦଳର ଅଗ୍ରଣୀ ଅଲରାଉଣ୍ଡର । ଜଣେ ସିନେ ତାରକାଙ୍କ ଭଳି ଗ୍ଲାମରସ୍ ଲୁକ୍ ଥିଲା ଦୁରାନୀଙ୍କର । ଏପରିକି ସେ ଲୋକପ୍ରିୟ ଅଭିନେତ୍ରୀ ପରବିନ ବାବିଙ୍କ ସହ ୧୯୭୩ରେ ରିଲିଜ ହୋଇଥିବା ‘ଚରିତ୍ର’ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ ।

ଭାରତର ଏହି କିମ୍ବଦନ୍ତୀ କ୍ରିକେଟର ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି । କିନ୍ତୁ ତାଙ୍କର ସ୍ମରଣୀୟ ପ୍ରଦର୍ଶନ ଭାରତୀୟ କ୍ରିକେଟ ଦଳକୁ ଦେଇଛି କିଛି ଐତିହାସିକ ବିଜୟର ସ୍ୱାଦ ।

୧୯୩୪ ମସିହାରେ ଆଫଗାନିସ୍ତାନର କାବୁଲରେ ଜନ୍ମ ହୋଇଥିଲେ ଭାରତର ଏହି କିମ୍ବଦନ୍ତୀ କ୍ରିକେଟର । ଦୁରାନୀ ହେଉଛନ୍ତି ଆଫଗାନିସ୍ତାନରେ ଜନ୍ମ ଗ୍ରହଣ କରିଥିବା ଏକମାତ୍ର ଭାରତୀୟ କ୍ରିକେଟର । ତାଙ୍କୁ ମାତ୍ର ୮ ମାସ ହୋଇଥିବା ବେଳେ ପରିବାର କରାଚୀ ଚାଲି ଆସିଥିଲେ । ଦେଶ ବିଭାଜନ ପରେ ଦୁରାନୀଙ୍କ ପରିବାର ଭାରତ ଚାଲିଆସିଥିଲେ ।

୧୯୬୦ ମସିହାରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ସଲିମ ଦୁରାନୀ । ଜଣେ ବୋଲର ଭାବେ ହିଁ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ହୋଇଥିଲା । ପରେ ନିଜକୁ ଏକ ଦକ୍ଷ ଅଲରାଉଣ୍ଡର ଭାବେ ସାବ୍ୟସ୍ତ କରିପାରିଥିଲେ ଦୁରାନୀ । ଆନ୍ତର୍ଜାତିକ କ୍ୟାରିୟର ବେଶୀ ଦିନ ନଥିଲେ ମଧ୍ୟ ନିଜର ସ୍ମରଣୀୟ ପ୍ରଦର୍ଶନ ବଳରେ ଭାରତର ଏକାଧିକ ଟେଷ୍ଟ ବିଜୟରେ କର୍ଣ୍ଣଧାର ସାଜିଥିଲେ ସଲିମ ଦୁରାନୀ । ଦୁରାନୀ ଥିଲେ ବାମହାତୀ ବ୍ୟାଟସମ୍ୟାନ ଓ ବାମହାତୀ ସ୍ପିନର । ବିପକ୍ଷ ଦଳର ଯେ କୌଣସି ଖ୍ୟାତନାମା ବୋଲରଙ୍କୁ ବେଖାତିର କରି ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଓ ଦାବି ମୁତାବକ ଛକା ମାରିବାର ବିଚକ୍ଷଣ ସାମର୍ଥ୍ୟ ହିଁ ଦୁରାନୀ ଥିଲେ ପ୍ରଶଂସକଙ୍କ ପ୍ରିୟ କ୍ରିକେଟର୍ । ୧୯୭୩ ମସିହାର ଏକ ଘଟଣାରୁ ଦୁରାନୀଙ୍କ ଲୋକପ୍ରିୟତା ପ୍ରମାଣିତ ହୁଏ । ୧୯୭୩ ମସିହାରେ ଇଂଲଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ସଲିମ ଦୁରାନୀଙ୍କୁ ଭାରତର ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା । ନିରାଶ ହୋଇଥିଲେ ଦୁରାନୀଙ୍କ ପ୍ରଶଂସକ । ମ୍ୟାଚ ବେଳେ ସାଇନବୋର୍ଡରେ ‘ନୋ ଦୁରାନୀ ନୋ ଟେଷ୍ଟ୍‌’ ଲେଖି ପ୍ରଶଂସକମାନେ ଅସନ୍ତୋଷ ଜାହିର କରିଥିଲେ ।

୧୯୬୧-୬୨ରେ ଇଂଲଣ୍ଡ କ୍ରିକେଟ ଦଳର ଭାରତ ଗସ୍ତରେ ଦୁରାନୀଙ୍କ ପ୍ରଦର୍ଶନ ଥିଲା ଉଲ୍ଲେଖନୀୟ । କୋଲକାତା ଓ ଚେନ୍ନାଇ ଟେଷ୍ଟରେ ଦୁରାନୀ ଯଥାକ୍ରମେ ୮ ଓ ୧୦ଟି ୱିକେଟ ନେଇ ଭାରତର ୨-୦ ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜରେ ଭାରତୀୟ ଦଳର ଐତିହାସିକ ଟେଷ୍ଟ ସିରିଜ ବିଜୟରେ ବି ଦୁରାନୀଙ୍କ ପ୍ରମୁଖ ଅବଦାନ ଥିଲା । ପୋର୍ଟ ଅଫ୍ ସ୍ପେନ ଟେଷ୍ଟରେ ସେ ଗ୍ୟାରୀ ସୋବର୍ସ ଓ କ୍ଲାଇଭ ଲୟଡଙ୍କ ଭଳି ଖେଳାଳିଙ୍କୁ ଆଉଟ କରି ଭାରତର ବିଜୟ ନିଶ୍ଚିତ କରିଥିଲେ । ଏହି ସିରିଜ୍ ଥିଲା ଦୁରାନୀଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ସିରିଜ୍ । ୧୯୬୭ରୁ ୧୯୭୦ ଯାଏଁ ଭାରତୀୟ ଦଳରୁ ତାଙ୍କୁ ବାଦ୍ ଦିଆଯାଇଥିଲା ।

୧୯୬୪ ମସିହାରେ ୱେଷ୍ଟଇଣ୍ଡିଜ ଗସ୍ତରେ ପୋର୍ଟ ଅଫ୍ ସ୍ପେନ ଟେଷ୍ଟରେ ଦୁରାନୀଙ୍କ ସାହସିକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଏହି ଟେଷ୍ଟ ମ୍ୟାଚରେ ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ୪୪୪ ରନ୍ କରିଥିଲା । ଜବାବରେ ଭାରତ ମାତ୍ର ୧୯୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତକୁ ମିଳିଥିଲା ଫଲୋଅନ୍ । ଭାରତୀୟ ଦଳର ଲଜ୍ଜାଜନକ ଇନିଂସ ପରାଜୟ ହେବ ବୋଲି ମନେହେଉଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ସଲିମ ଦୁରାନୀ ଇଣ୍ଡିଜ ପେସ୍ ଆଟାକର ସଫଳ ମୁକାବିଲା କରି ୧୦୪ ରନର ଶତକୀୟ ଇନିଂସ ଖେଳିଥିଲେ । ପଲ୍ଲି ଉମ୍ରିଗର ବି ୧୭୨ ରନର ଇନିଂସ ଖେଳିଥିଲେ । ଦୁରାନୀ ଓ ଉମ୍ରିଗରଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୪୨୨ ରନ୍ କରିଥିଲା । ଭାରତର ମ୍ୟାଚ୍ ହାରିଥିଲେ ମଧ୍ୟ ଦୁରାନୀ ଓ ଉମ୍ରିଗରଙ୍କ ଶତକ ଯୋଗୁଁ ସମ୍ମାନ ରଖି ପାରିଥିଲା । ବିଶେଷକରି ଦୁରାନୀଙ୍କ ଶକତୀୟ ଇନିଂସ ବାବଦରେ ଆଜି ବି ଚର୍ଚ୍ଚା ହୋଇଥାଏ ।

ସଲିମ ଦୁରାନୀ ୨୯ଟି ଟେଷ୍ଟ ମ୍ୟାଚ ଖେଳି ଗୋଟିଏ ଶତକ ସହ ୧ ହଜାର ୨୦୨ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷ ୧୦୪ ରନ୍ ଥିଲା ତାଙ୍କର ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ସ୍କୋର । ବୋଲିଂରେ ସେ ଅକ୍ତିଆର କରିଥିଲେ ୭୫ଟି ୱିକେଟ୍ । ୧୭୭ ରନ ବ୍ୟୟରେ ୧୦ଟି ୱିକେଟ ହେଉଛି ଦୁରାନୀଙ୍କ ସର୍ବଶ୍ରେଷ୍ଠ ଟେଷ୍ଟ ବୋଲିଂ । ଦୁରାନୀଙ୍କ ଟେଷ୍ଟ ପରିସଂଖ୍ୟନ ସାଧାରଣ ମନେ ହେଉଥିଲେ ମଧ୍ୟ ଜଣେ ଉପଯୋଗୀ ଅଲରାଉଣ୍ଡର ଭାବେ ଭାରତର କିଛି ଐତିହାସିକ ବିଜୟରେ ଦୁରାନୀଙ୍କ ପ୍ରଦର୍ଶନ ସ୍ମରଣୀୟ ହୋଇରହିବ । ୧୯୭୩ ମସିହାରେ ଇଂଲଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟ ଥିଲା ଦୁରାନୀଙ୍କ ଶେଷ ଟେଷ୍ଟ ମ୍ୟାଚ୍ । ଯେଉଁ ଭେନ୍ୟୁରେ ଟେଷ୍ଟ କ୍ୟାରିଅର ଆରମ୍ଭ ହୋଇଥିଲା, ସେଠାରେ ହିଁ ସେ ଖେଳିଥିଲେ ଶେଷ ଟେଷ୍ଟ ମ୍ୟାଚ୍ । ଏହି ଷ୍ଟାଇଲିସ କ୍ରିକେଟର ପ୍ରଥମ ଶ୍ରେଣୀ କ୍ରିକେଟରେ ୧୪ଟି ଶତକ ସହ ୩୩ ଦଶମିକ ୩୭ ଆଭରେଜରେ ମୋଟ ୮ ହଜାର ୫୪୫ ରନ୍ ସ୍କୋର କରିଥିଲେ । ଘରୋଇ କ୍ରିକେଟରେ ଦୁରାନୀ ସୌରାଷ୍ଟ୍ର, ରାଜସ୍ଥାନ ଓ ଗୁଜରାଟ ପାଇଁ ରଣଜୀ ଟ୍ରଫି ଖେଳିଥିଲେ । ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବାରେ ସଲିମ ଦୁରାନୀ ଥିଲେ ପ୍ରଥମ କ୍ରିକେଟର ।

Comments are closed.