ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଡବ୍ଲୁଓଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଟିଟିଲାଗଡ଼ ସହରରେ ମାନ୍ୟବର ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଟିଟିଲାଗଡ଼ ସେଫ ସିଟି ପ୍ରକଳ୍ପର ଭିତ୍ତି ସ୍ଥାପନ କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୬୨ ଲକ୍ଷ ଟଙ୍କା ଯୋଗାଇ ଦିଆ ଯାଇଛି ।

ଏହି ପ୍ରକଳ୍ପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ୮୫ ଗୋଟି ସିସି ଟିଭି କ୍ୟାମେରା ବିନିଯୋଗ କରାଯିବ । ଏହା ସହିତ ଟିଟିଲାଗଡ଼ ସହର ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ହାଟପଦା ଠାରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ପ୍ରକଳ୍ପର ମଧ୍ୟ ଭିତ୍ତି ସ୍ଥାପନ କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୪.୧୮ ଟଙ୍କା ଯୋଗାଇ ଦିଆ ଯାଇଛି । ଶ୍ରୀ ତ୍ରିପାଠୀ ମାନ୍ୟବର ମନ୍ତ୍ରୀଙ୍କ ସହ ତୁଷରା ଠାରେ ଏଜ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ଉଦ୍ଘାଟନ କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧.୫୪ କୋଟି ଟଙ୍କା ଯୋଗାଇ ଦିଆ ଯାଇଛି ।

ଏହି ସମାରୋହରେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରଣା , ବଲାଙ୍ଗୀର କଳାହାଣ୍ଡି ନୂଆପଡ଼ା ଦୁଗ୍ଧ ଉତ୍ପାଦକ ସଙ୍ଘ ଅଧ୍ୟକ୍ଷ ସୀମା ପଟେଲ ପ୍ରମୁଖ ଉପସ୍ଥିତ ଥିଲର । ଆଜି ଶୁଭାରମ୍ଭ ହୋଇଥିବା ପ୍ଲାଣ୍ଟରେ ୨୦୦୦ ଲିଟର ଉପଯୋଗ ହେଉଥିବା ସ୍ଥଳେ ଆଗାମୀ ଦିନରେ ଏହାର କ୍ଷମତା ୫୦୦୦ ଲିଟର କୁ ବୃଦ୍ଧି କରାଯିବ ଓ ୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଦୁଗ୍ଧ ଟ୍ୟାଙ୍କର ଯୋଗାଇ ଦିଆଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।ଭବିଷ୍ୟତରେ ମତ୍ସ୍ୟ ଚାଷ ଓ ଉଦ୍ୟାନ କୃଷି ସହ ଗୁଡଭେଲା ଡେ଼ରୀ ଡେଭଲପମେଣ୍ଟ ୟୁନିଟକୁ ସମନ୍ବିତ କରି ସାମଗ୍ରିକ କୃଷି ଓ ଆନୁଷଙ୍ଗିକ ବ୍ୟବସାୟକୁ ପ୍ରୋତ୍ସାହିତ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ।

ଏହା ପରେ ଶ୍ରୀ ତ୍ରିପାଠୀ ଜ଼ିଲ୍ଲାପାଳଙ୍କ ସହ ବଲାଙ୍ଗୀର ସହରରେ ନିର୍ମାଣାଧୀନ ଅଡିଟୋରିଅମ ପରିଦର୍ଶନ କରିଥିଲେ । ଏଥି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୮ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆ ଯାଇଛି । ଜିଲ୍ଲାରେ ସାଂସ୍କୃତିକ ସମାରୋହ ଆୟୋଜନରେ ଏହି ପ୍ରେକ୍ଷାଳୟ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ୨୦୨୩ ଡ଼ିସେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଶ୍ରୀ ତ୍ରିପାଠୀ କ୍ରିୟାନ୍ୱୟନ ସଂସ୍ଥାକୁ ପରାମର୍ଶ ଦେଇଥିଲେ। ଅଧ୍ଯକ୍ଷ ଓ ଜ଼ିଲ୍ଲାପାଳ ଗାନ୍ଧୀ ଷ୍ଟାଡିଅମ ଠାରେ ନିର୍ମାଣାଧୀନ ପୁରୁଷ ଓ ମହିଳା ପାଭିଲିୟନ ପରିଦର୍ଶନ କରିଥିଲେ । ଏଥି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆ ଯାଇଛି । ବଲାଙ୍ଗୀର ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ବିକାଶରେ ଏହି ପ୍ରକଳ୍ପର ମହତ୍ୱପୂର୍ଣ୍ଣ ଯୋଗଦାନ ରହିବ ବୋଲି ସେ ମତ ଦେଇଥିଲେ ।

ଏହି ପରିଦର୍ଶନ ସମୟରେ ବଲାଙ୍ଗୀର ଏସପି ନିତିନ କୁସଲକର , ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର ,ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ, ବିଶେଷଜ୍ଞ ସଦସ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Comments are closed.