ପ୍ରକୃତି କୋଳରେ ବିରାଜମାନ କରିଛନ୍ତି ଶ୍ରୀଶ୍ରୀ କୋଟେଶ୍ୱର ମହାଦେବ

ଗଞ୍ଜାମ ଜିଲ୍ଲା ଧରକୋଟ-ସୋରଡ଼ା ବ୍ଲକ ସୀମାବର୍ତୀ ଅଞ୍ଚଳ ବାରଧାଙ୍ଗିଡ଼ି ଗ୍ରାମ ନିକଟରେ ରହିଛି ଏକ ସୁନ୍ଦର ମନୋରମ ପର୍ବତ । ଏହି ପର୍ବତ ଉପରେ ରହିଛି ଅନେକ ଗୁଡିଏ ଛୋଟବଡ଼ ଗୁମ୍ଫା। ବହୁ ବଡ଼ ବଡ଼ ପଥରଖଣ୍ଡରେ ଆଚ୍ଛାଦିତ ଏହି ଗୁମ୍ଫା ଗୁଡିକ ଦେଖିବାକୁ ଖୁବ ସୁନ୍ଦର । ସବୁଜ ବନାନୀ ମଧ୍ୟରେ ବଉଳ ପଥରମାଳା ସୃଷ୍ଟ ଗୁମ୍ପା ବେଶ ଆକର୍ଷିନୀୟ । ଏହିପରି ଏକ ଗୁମ୍ଫାରେ ପୂଜାପାଉଛନ୍ତି ବାବା କୋଟେଶ୍ୱର ମହାଦେବଙ୍କ ପ୍ରକୃତି ନିର୍ମିତ ଶିବଲିଙ୍ଗ ଓ ଅନ୍ୟାନ୍ୟ ଦେବାଦେବୀ ମୂର୍ତ୍ତି। ଏହି ଶିବଲିଙ୍ଗ ଲୋକଲୋଚନ କୁ ଆସିବା ପରେ ଏହା କୋଟେଶ୍ୱର ନାମରେ ନାମିତ କରାଯାଇଥିବା ଜଣାପଡେ। ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନା ଗମନର ସୁବିଧା ନଥିବା କାରଣରୁ ଏହିସବୁ ଦେବଦେବୀଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ଠିକ ଭାବେ ପୂଜା ମଧ୍ୟ ହୋଇପାରୁ ନାହିଁ ।

ଲୋକକଥା ଅନୁସାରେ ଏଠାରେ ବହୁ ବର୍ଷ ପୂର୍ବେ ମୁନିଋଷି ମାନେ ତପସ୍ୟା କରି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଆସୁଥିଲେ । କାଳକ୍ରମେ ଏହା ବନ୍ଦ ହୋଇଯିବା ଫଳରେ ଲୋକ ଲୋଚନର ଅନ୍ତରାଳରେ ରହିଥିଲା ।କିଛିବର୍ଷ ପୂର୍ବେ ସ୍ଥାନୀୟ ସିଙ୍ଗିପୁର ଗ୍ରାମର ଜଣେ ବ୍ରାହ୍ମଣ, ମନ୍ଦିରର ପୂଜକ ଓ ତାଙ୍କ ସହଯୋଗୀଙ୍କୁ ଧରି ପର୍ବତ ଉପରକୁ ଯାଇଥିବା ବେଳେ ଗୁମ୍ଫା ଥିବା ଦେଖିବା ସହ ବହୁ ପୁରାତନ ଅସ୍ଥି ମଧ୍ୟ ପାଇଥିଲେ । ଗୁମ୍ଫା ଭିତରକୁ ପ୍ରବେଶ କରିବା ପରେ ଶିବଲିଙ୍ଗ ସହ ପଥରରେ ଖୋଦେଇ ହୋଇଥିବା ବିଭିନ୍ନ ଦେବଦେବୀଙ୍କ ପ୍ରତିକୃତି ର ସନ୍ଧାନ ପାଇଥିଲେ । ଏହାପରେ ଏହି ସ୍ଥାନକୁ ଲୋକଙ୍କ ଯାତାୟାତ ଆରମ୍ଭ ହୋଇଥିଲା । ସୋମବାର, ସଂକ୍ରାନ୍ତି ଓ ଯାନିଯାତରେ ଏବେ ଏଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

ଏହି ପବିତ୍ର ପୀଠଟିର ରକ୍ଷଣାବେକ୍ଷଣ ହେବାସହ ଯଦି ଏହାକୁ ରାଜ୍ୟ ପଯ୍ୟଟନ ମାନଚିତ୍ର ରେ ସ୍ଥାନ ଦିଆଯାଇ ପାରନ୍ତା ତେବେ ଆମ ପର୍ଯ୍ୟଟନ ବିଭାଗର ଉନ୍ନତି ହେବାସହ ଏହି ସୁନ୍ଦର ସ୍ଥଳୀ ର ବିକାଶ ହୋଇ ପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଯିବି ମତ ରଖିଛନ୍ତି।

Comments are closed.