ଛତିଶଗଡ଼ ପର୍ଯ୍ୟଟକଙ୍କ ସହ ସଂଘର୍ଷ ଘଟଣା: ମୁଣ୍ଡଳି ଟୋଲଗେଟ ସିଲ୍, ୪ କର୍ମଚାରୀ ଗିରଫ

କଟକ- ମୁଣ୍ଡଳି ଟୋଲଗେଟ୍‌ରେ ଛତିଶଗଡ଼ ପର୍ଯ୍ୟଟକ ଓ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଟୋଲଗେଟକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ଛତିଶଗଡରୁ ୨ଟି ବସ୍‌ରେ ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୁରୀ ଓ ନନ୍ଦନକାନନ ବୁଲି ପର୍ଯ୍ୟଟକମାନେ ଛତିଶଗଡ଼ ଫେରୁଥିଲେ। ମୁଣ୍ଡଳି ଟୋଲ ଗେଟ୍‌ରେ କର୍ମଚାରୀମାନେ ବସ୍‌ ଡ୍ରାଇଭରକୁ ଗେଟରେ ପାରି ହେବା ପାଇଁ ପଇସା ମାଗିଥିଲେ। ଧାର୍ଯ୍ୟ ରାଶି ଠାରୁ ଟୋଲ ଗେଟ୍‌ କର୍ମଚାରୀ ଅଧିକ ଟଙ୍କା ମାଗିଥିବା ବସ୍‌ ଡ୍ରାଇଭର ଅଭିଯୋଗ କରିଥିଲେ। ପଇସା ନ ଦେଲେ ବସ୍‌ ଛଡ଼ାଯିବ ନାହିଁ ଟୋଲ ଗେଟ୍‌ କର୍ମଚାରୀ କହିବାରୁ ବଚସା ଆରମ୍ଭ ହୋଇଥିଲା। ଟୋଲ ଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭର ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା।

ଟୋଲଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭରଙ୍କ ଗଣ୍ଡଗୋଳ ଦେଖି ବସରେ ବସିଥିବା ଅନ୍ୟ ପର୍ଯ୍ୟଟକ ମାନେ ମଧ୍ୟ ବସ୍‌ରୁ ଓହ୍ଲାଇ ଆସିଥିଲେ। ସେମାନଙ୍କର ମଧ୍ୟ ଟୋଲ ଗେଟ୍‌ କର୍ମଚାରୀ ସହିତ ଝଗଡ଼ା ହୋଇଥିଲା। ପରେ ପର୍ଯ୍ୟଟକ, ଡ୍ରାଇଭର ଓ କର୍ମଚାରୀଙ୍କ ମଧ୍ୟରେ ମାଡପିଟ୍‌ ହୋଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

ଛତିଶଗଡ ପର୍ଯ୍ୟଟକଙ୍କୁ ଆଠଗଡ଼ ପ୍ରଶାସନ ଶୁଖିଲା ଖାଦ୍ୟ ଦେଇ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ରହିବା ବ୍ୟବସ୍ଥା କରିଥିଲା । ଗତକାଲି ସେମାନଙ୍କୁ ଛତିଶଗଡ଼ ପଠାଇଥିଲା ପ୍ରଶାସନ।

Comments are closed.