ରାଜ୍ୟରେ ହକିର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅବିରତ ପ୍ରୟାସ ଛତ୍ରପୁରରେ ହକି ଚୟନ ଶିବିର 

ଛତ୍ରପୁର: ଓଡ଼ିଶାରେ ହକି ଖେଳର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଅବିରତ ପ୍ରୟାସ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ହକି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହୋଇଛି। ଏହି କେନ୍ଦ୍ରରେ ରାଜ୍ୟର ବାଳକ ବାଳିକା ତଥା ଉଦୀୟମାନ କ୍ରୀଡ଼ାବିତମାନେ ତାଲିମ ସୁଯୋଗ ପାଇବେ। ଛତ୍ରପୁର ଖେଳ ପଡ଼ିଆ ଠାରେ ୧୬ ବର୍ଷ ବୟସର ବାଳକ ବାଳିକାଙ୍କ ତୃଣମୂଳ ସ୍ତରରୁ ଚୟନ ଶିବିରର ଉଦଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟ ତତ୍ତ୍ୱାବଧାରକ ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।

ସୋମବାରରୁ ଆରମ୍ଭ ହୋଇଥିବା ତୃତୀୟ ଓଡ଼ିଶା ନାଭାଲ୍‌- ଟାଟା ହକି କ୍ରୀଡ଼ାବିତ୍‌ ଚୟନ ଶିବିର ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ତୃଣମୂଳ ସ୍ତରରୁ ହକି ପ୍ରତିଭାମାନଙ୍କୁ ସୁଯୋଗ ଦେବା ଏହାର ଉଦ୍ଦେଶ୍ୟ। ଭାରତୀୟ ହକି ସଂଘ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ଭାବେ ଶିବିରର ଶୁଭାରମ୍ଭ କରିଛନ୍ତି। ସେ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ହକି ଖେଳରେ ଅନେକ ସୁନାମ ଆଣିଛି। ସେହି ଦୃଷ୍ଟିରୁ ଛତ୍ରପୁର ପ୍ରଶିକ୍ଷଣ କେନ୍ଦ୍ର ଗ୍ରାମାଞ୍ଚଳର ହକି ପ୍ରତିଭାଙ୍କ ନିମନ୍ତେ ଏକ ଅପୂର୍ବ ସୁଯୋଗ ଆଣିଦେବ। ସମ୍ମାନୀତ ଅତିଥି ଓଏସ୍‌ସିଏଚ୍‌ଆର୍‌ ପ୍ରକଳ୍ପ ନିର୍ଦ୍ଦେଶକ ଆଲୋକ କୁମାର ପାଲ୍‌, ଓଡ଼ିଶା ନାଭାଲ୍‌- ଟାଟା ହକି ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ୍‌ ସେଠ୍‌ କହିଥିଲେ କି ଓଡ଼ିଶାର ହକି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅବଦାନ ଆଗାମୀ ପିଢ଼ିଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ ତଥା ଏହା ଆଗକୁ ମାଲଲ ଖୁଣ୍ଟ ଅତିକ୍ରାନ୍ତ କରିବ।

ଛତ୍ରପୁର ହକି ପ୍ରଶିକ୍ଷଣ କେନ୍ଦ୍ରରେ ଗଞ୍ଜାମ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ମୟୁରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ଼ ଓ ସମ୍ବଲପୁର ଆଠ ଗୋଟି ଜିଲ୍ଲାରୁ ଆସିଥିବା ୧୧ ଗୋଟି ବାଳକ ଓ ବାଳିକା ଦଳ ପାଇଁ ଦକ୍ଷ ଖେଳାଳି ବଛା ହେବେ। ଏହି ଚୟନ ଶିବିରରେ ନିଶ୍ଚତ ଚୂପେ ଭଲ ଖେଳାଳି ବଛା ହୋଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେବେ ବୋଲି ଆଶା କରାଯାଉଛି। ଚୟନ ଶିବିରରେ କୋଚ୍‌ ରାଜନ୍‌ ଏକ୍କା, ବରିଷ୍ଠ ଜାତୀୟ ଖେଳାଳୀ ଦୀପକ୍‌ ଜେ. କେରକେଟା, ସୁଧୀର ଏକ୍କା ଏବଂ ନାଭାଲ ଟାଟା ଗ୍ରାସ୍‌ ରୁଟ୍‌ ହକି ସଂଯୋଜକ ଶେଖର ଚନ୍ଦ୍ର ବେହେରା, ବୈଷୟିକ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ କୋଚ୍‌ ପିଟର୍‌ ସୋରେନ୍‌, ବରିଷ୍ଠ ଜାତୀୟ କ୍ରୀଡାବିତ୍‌ ଜି. ତେଜେଶ୍ଵର ରାଓ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡାଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥୁଲା। ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ। ଆରମ୍ଭରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସ୍ମୃତିରେ ନିରବ ପ୍ରାର୍ଥନା ଜରିଆରେ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା।

Comments are closed.