ଗୋପାଳପୁର ବନ୍ଦର ପକ୍ଷରୁ ପଣ୍ୟ ଲୋଡିଂରେ ସର୍ବକାଳୀନ ରେକର୍ଡ

ବ୍ରହ୍ମପୁର: ୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂ କରି ଗୋପାଳପୁର ବନ୍ଦର ଏ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଗତ ୧୫ ତାରିଖରେ ଘଣ୍ଟା ପିଛା ହାରାହାରି ୨,୧୬୭ ମେଟ୍ରିକ୍ ଟନ୍ ଲୋଡିଂ ଆରମ୍ଭ ହୋଇ ଏହି ରେକର୍ଡ ହାସଲ କରାଯାଇଛି। ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଦ୍ୱାରା ମନୋନୀତ ଜାହାଜ ଏମ୍‌ଭି ରିଚି ସ୍ପିଙ୍ଗ୍‌ରେ ୨୪ ଘଣ୍ଟା ଭିତରେ ୫୯,୧୫୦ ମେଟ୍ରିକ୍ ଟନ୍ ଲୁହାପଥର ଲମ୍ପ୍‌ସ ଲୋଡିଂ କରି ଗୋପାଳପୁର ବନ୍ଦର ଇତିହାସ ସୃଷ୍ଟି କରିଛି। ଉକ୍ତ ଜାହାଜରେ ମୋଟ ୪୦ ଘଣ୍ଟାରେ ସମୁଦାୟ ୮୬,୭୦୦ ଏମ୍‌ଟି ଲୁହାପଥର ଲୋଡିଂ କରିବା ରେକର୍ଡ ହାସଲ କରିଛି ବନ୍ଦର। ଏହି ରେକର୍ଡ ପାଇଁ ଜାହାଜର ମାଷ୍ଟରଙ୍କ ତରଫରୁ ଗୋପାଳପୁର ବନ୍ଦରକୁ ଏକ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ଗଭୀରତମ ସବୁଦିନିଆ ଓ ୨୪ ଘଣ୍ଟା ପରିଚାଳିତ ହେଉଥିବା ଗୋପାଳପୁର ବନ୍ଦର ଆରମ୍ଭ ହେବା ଦିନରୁ ମାନୁଆଲ୍ ମାଧ୍ୟମରେ ଦ୍ରୁତତମ ଲୁହାପଥର ଲମ୍ପ୍‌ସ ଲୋଡିଂ ହାସଲ କରିଛି। ଏହି ସଫଳତା ସମ୍ପର୍କରେ ଏସ୍‌ପି ପୋର୍ଟ ମେଣ୍ଟେନାନ୍ସ ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ କହିଛନ୍ତି ଯେ- ”ଆମ ଟିମ୍‌ର ସଫଳତାକୁ ନେଇ ଆମେ ବେଶ୍ ଗର୍ବିତ। ଏହି ରେକର୍ଡ ଭଙ୍ଗକାରୀ ସଫଳତା ଗୋପାଳପୁର ବନ୍ଦରର ପଣ୍ୟ ପରିଚାଳନା ଦକ୍ଷତା ଓ ବିପୁଳ ପରିମାଣର ପଣ୍ୟ ପରିଚାଳନା କ୍ଷମତାର ପ୍ରତିଫଳନ ଅଟେ’’। ଗୋପାଳପୁର ବନ୍ଦର ଲିମିଟେଡ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି. ଜନାର୍ଦ୍ଦନ ରାଓ କହିଛନ୍ତି ଯେ- “ଗୋପାଳପୁର ବନ୍ଦର ଏହାର ଗ୍ରାହକଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛି ଏବଂ ଜାହାଜକୁ ବର୍ଥକୁ ଆଣିବା ପୂର୍ବରୁ ପୂର୍ଣ୍ଣ ଯୋଜନା ସହ ତାହାର ଉପଯୁକ୍ତ ଫିଡିଂ ଏବଂ ସୁରକ୍ଷାର ସହ ଜାହାଜର ଲୋଡିଂକୁ ସୁନିଶ୍ଚିତ କରାଯାଉଛ। ରାଜ୍ୟର ଶ୍ରେଷ୍ଠ ରେଳ ଓ ସଡ଼କ ସଂଯୋଗ ଥିବା ଗୋପାଳପୁର ବନ୍ଦର ମାଲ୍ ପରିବହନରେ ନିରନ୍ତର ନୂଆ ରେକର୍ଡ ସୃଷ୍ଟି କରୁଛି। ନିକଟରେ ବନ୍ଦର ପକ୍ଷରୁ ଅନ୍ୟ ଏକ ଜାହାଜ ଏମ୍‌ଭି ନ୍ୟୁ ପ୍ରେଷ୍ଟିଜ୍‌ରେ ୨୪ ଘଣ୍ଟାରେ ୩୨,୦୦୦ ମେଟ୍ରିକ୍ ଟନ୍ କୋଇଲା ଡିସ୍‌ଚାର୍ଜ କରାଯାଇଥିଲା’’।

ଗୋପାଳପୁର ବନ୍ଦରରେ ଦିନକୁ ୨୦ରୁ ଅଧିକ ରେକ୍ ପରିଚାଳନା କରିବା କ୍ଷମତା ରହିଛି ଏବଂ ନୌବାଣିଜ୍ୟ କାର୍ଯ୍ୟରେ ଏହି ରେକର୍ଡ ଭଙ୍ଗକାରୀ ପ୍ରଦର୍ଶନ ଏହାକୁ ଏକ ଭରସାଯୋଗ୍ୟ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପଥରେ ପରିଣତ କରିଛି। ଗୋପାଳପୁର ବନ୍ଦର ପୂର୍ବ ଭାରତର ପରବର୍ତ୍ତୀ ସୁପର୍ ବନ୍ଦରରେ ପରିଣତ ହେବାକୁ ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। ୨୦୧୭ ପରଠାରୁ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ଅଧୀନରେ ପରିଚାଳିତ ହେବା ପରେ ଗୋପାଳପୁର ବନ୍ଦରରେ ୧୪.୫ ମିଟର ପର୍ଯ୍ୟନ୍ତ ଗଭୀରତା ସହ ବୃହତ୍ ଜାହାଜ ପରିଚାଳନା କରିବାର ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ବନ୍ଦରରେ ୨.୫ ଏମ୍‌ଟି (ମେଟ୍ରିକ୍ ଟନ୍) ପଣ୍ୟ ସଂରକ୍ଷିତ ରଖିବା ଲାଗି ଖୋଲା ଓ ବନ୍ଦ ସଂରକ୍ଷଣ ବ୍ୟବସ୍ଥା ରହିଛି ଯାହା ବିଭିନ୍ନ ପ୍ରକାର ପଣ୍ୟ ଓ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି। ଗୋପାଳପୁର ବନ୍ଦରରେ ଆଠଟି କାର୍ଯ୍ୟକ୍ଷମ ଥିବା ରେଳ ୟାର୍ଡ ସାଇଡିଂ ରହିଛି ଯାହା ବିବିଧ ପଣ୍ୟକୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିପାରୁଛି। ପାରାଦୀପ ଓ ବିଶାଖାପାଟଣା ବନ୍ଦର ମଝିରେ ଥିବା ଗୋପାଳପୁର ବନ୍ଦରର ଗୁରୁତ୍ୱ ଏହା ଯେ ଆମଦାନି ଏବଂ ଭାରତର ପୂର୍ବ ଉପକୂଳ ପରିବହନ ପାଇଁ ଶ୍ରେଷ୍ଠ ସ୍ଥାନ ଭାବେ ଏହା ବିବେଚିତ ହୋଇପାରୁଛି।

Comments are closed.