ଶେଷରେ ଧରାପଡିଲେ ଚଡ୍ଡି-ଗଞ୍ଜି ଗ୍ୟାଙ୍ଗ୍

ଭୁବନେଶ୍ୱର – ରାଜଧାନୀରେ ବେଶ୍ କିଛି ଦିନ ହେବ ଉପଦ୍ରବ କରି ଲୋକଙ୍କ ଘରେ କଳା କନା ବୁଲାଉଥିବା ଚଡ୍ଡି-ଗଞ୍ଜି ଗ୍ୟାଙ୍ଗ ଶେଷରେ ଧରାପଡିଛନ୍ତି । ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଘୋଡାଇ ରାଜଧାନୀରେ ଚୋରି ଡକାୟତି କରୁଥିଲେ ଗ୍ୟାଙ୍ଗ୍ ।ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ଧରିଛି କମିଶନରେଟ୍ ପୋଲିସ। ଦିନରେ ଏମାନେ ବାରବୁଲାଙ୍କ ଭଳି ଜୀବନ କାଟୁଥିବା ବେଳେ ଗୋଟିଏ ଗୋଟିଏ ରାତିରେ ୨ରୁ ୩ଟି ସ୍ଥାନରେ ଚୋରୀ କରୁଥିଲେ ବୋଲି ସୂଚନା ମିଳିଛି।

ଗ୍ୟାଙ୍ଗର ସଦସ୍ୟମାନେ ଚୋରୀ କରିବାକୁ ଯିବା ବେଳେ କେବଳ ହାପ୍ ପ୍ୟାଣ୍ଟ, ଗଞ୍ଜି ପିନ୍ଧିବା ସହ ମୁହଁ ଘୋଡାଇ ରଖୁଥିଲେ ଦିନରେ ରାଜଧାନୀର ବିଭିନ୍ନ ଛକରେ ବୁଲି କେଉଁ ଘରରୁ ଚୋରି କରାଯିବ, ତାହା ଅନୁଧ୍ୟାନ କରି ନିଷ୍ପତ୍ତି ନେଉଥିଲେ। ରାତିରେ ସେହି ଘରେ ପଶି ଚୋରି କରୁଥିଲେ ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, ଧରାପଡିଥିବା ଅପରାଧୀମାନେ ରାଜସ୍ଥାନର ମୂଳ ବାସିନ୍ଦା। ଚିହ୍ନା ନ ପଡ଼ିବା ପାଇଁ ଏମାନେ ରେଳ ଷ୍ଟେସନ୍, ବସଷ୍ଟାଣ୍ଡ, ଓଭରବ୍ରିଜ୍ ତଳେ ଆଶ୍ରୟ ନେଇଥାନ୍ତି। ପ୍ରଥମେ ଚୋରି ପାଇଁ ଫୁଲପ୍ରୁଫ୍ ପ୍ଲାନ୍ ପ୍ରସ୍ତୁତ ହୁଏ। ହାଇୱେ କିମ୍ବା ମୁଖ୍ୟ ରାସ୍ତାକୁ ସୁବିଧାରେ ପହଞ୍ଚି ପାରୁଥିବା ଘରକୁ ଏମାନେ ଟାଗେର୍ଟ କରିଥାନ୍ତି। କବାଟ ଝରକା ତାଡିବା ପାଇଁ ଏମାନେ ଅନେକ ପ୍ରକାର କଟର ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରନ୍ତି। ଏମାନଙ୍କ ବିରୋଧରେ ଧଉଳିରୁ ଇନଫୋସିଟି ଥାନା ଯାଏଁ ୧୬ରୁ ଅଧିକ ମାମଲା ରହିଛି ।

Comments are closed.