ଡେଙ୍ଗୁ ମୁକାବିଲା: କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର, ଭୁବନେଶ୍ୱରର ସବୁ ସିଏଚସିରେ ଡେଙ୍ଗୁ ୱାର୍ଡ

ଭୁବନେଶ୍ୱର – ଡେଙ୍ଗୁ ମୁକାବିଲା ପାଇଁ ଭୁବନେଶ୍ବରରର କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ସହିତ ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର -ସିଏଚ୍‌ସିରେ ଡେଙ୍ଗୁ ୱାର୍ଡ ଖୋଲିବ । କ୍ୟାପିଟାଲ୍ ହସ୍‌ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଆସନ୍ତାକାଲିଠାରୁ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବ । ହସପିଟାଲକୁ ଦୈନିକ ପ୍ରାୟ ୫୦୦ ଲୋକ ଡେଙ୍ଗୁ ଟେଷ୍ଟ ପାଇଁ ଆସୁଛନ୍ତି। ଏହି ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି।

ଏବେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦-୭୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଭର୍ତ୍ତି ହେଉଛନ୍ତି। ଏବେ ବେଡ୍‌ରେ ୬୨ ଜଣ ରୋଗୀ ଅଛନ୍ତି। ସ୍ଵତନ୍ତ୍ର ବେଡ୍‌ ନଥିବାରୁ ଫୋଲ୍ଡିଂ ଖଟ କିଣାଯାଇ ତଥା ବନ୍ଦ ଥିବା କ୍ୟାଥୋଲ୍ୟାବ ରୁମକୁ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଛି ।

ସେପଟେ ଭୁବନେଶ୍ୱରରେ ଥିବା ସମସ୍ତ ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ସିଏଚସି ଗୁଡ଼ିକରେ ୧୦ଟି ଲେଖାଏଁ ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ରହିବ ।

Comments are closed.