ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନାଁରେ ବଡ ଧରଣର ଠକେଇର ପର୍ଦ୍ଦାଫାଶ, ୫ ଗିରଫ

ସମ୍ବଲପୁର – ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ -ଏସଡିଏରେ ଲୋକଙ୍କ ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ ନାଁରେ ଏକ ବଡ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ସମ୍ବଲପୁର କ୍ଷେତରାଜପୁର ଥାନାରେ ଏସଡିଏ ପକ୍ଷରୁ ଜାଲ ଦସ୍ତାବିଜ ଦେଇ ନକଲି ପ୍ଲାନ ପାସ୍ କରାଯାଇଥିବା ନେଇ ୨ଟି ଅଭିଯୋଗ ହୋଇଥିଲା ।ଏହାପରେ ପୋଲିସ ଏହି ଘଟଣାରେ ଏସଡିଏର ଜଣେ କର୍ମଚାରୀଙ୍କ ସମେତ ୫ ଜଣକୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଏସଡିଏ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନକଲି ଷ୍ଟାମ୍ପ, ୨ଟି କାର, ଗୋଟିଏ ବାଇକ୍, ୫ଟି ମୋବାଇଲ, ଗୋଟିଏ କମ୍ପ୍ୟୁଟର ସେଟ୍, ଏକ ଲାପଟପକୁ ଜବତ କରିବା ସହ ୩ କୋଟିରୁ ଅଧିକ ଟଙ୍କା ଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ସିଜ୍ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଲୋକଙ୍କଠାରୁ ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ କରିବା ପାଇଁ ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିବା ବେଳେ ଜଣକଠାରୁ ୨୧ ଲକ୍ଷ ଟଙ୍କା ମଧ୍ୟ ନେଇଥିବା ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି । ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀ ନାରାୟଣ ସାମଲ, ଅଜୟ ବେହେରା, ବିକାଶ ଜଗତ, ଡମ୍ବରୁଧର ତ୍ରିପାଠୀ, ସୁଧାଂଶୁ କିଶୋର ପତି । ଏହି ଘଟଣାରେ ଆହୁରି ଅଧେକ ଲୋକ ଏହି ଠକମାନଙ୍କ ଶିକାର ହୋଇଥିବା ନେଇ ପୋଲିସ ସନ୍ଦେହ କରୁଛି।

Comments are closed.